ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ, ଅମର, ସସ୍ମିତ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ରାଜ୍ୟସଭା ଉପନିର୍ବାଚନ ପାଇଁ ସୋମବାର ଓଡ଼ିଶାରୁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ବିଜେଡ଼ି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ଭାଜପା ପକ୍ଷରୁ ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିବେ। ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସ୍ପଷ୍ଟ କରିଛନ୍ତି।
ମଧ୍ୟାହ୍ନରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ବିଧାନସଭାର ସ୍ବତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରହିଥିବା ବେଳେ ୨୬ ତାରିଖ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଜୁଲାଇ ୫ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଅପରାହ୍ନ ୫ଟାରେ ଭୋଟ ଗଣତି ହେବ ।

Share