ନୂଆଦିଲ୍ଲୀ,୧୯।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ଗୃହରେ କିଛି ପରିବର୍ତ୍ତନ କରାଯାଇଛି। ଗୃହ ଆରମ୍ଭ ହେବା ସମୟରେ ମାର୍ଶଲଙ୍କ ଡ୍ରେସକୋଡରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ସେମାନେ ଧଳାରଙ୍ଗର ପୋଷାକ ପିନ୍ଧୁଥିବା ବେଳେ ସୋମବାର ସେମାନେ ସେନାଙ୍କ ପୋଷାକ ପରିଧାନ କରିଥିଲେ। ହେଲେ ଏବେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏହି ପୋଷାକକୁ ନେଇ କିଛି ରାଜନୈତିକ ଦଳର ନେତା ଓ ବରିଷ୍ଠ ସେନା ଅଧିକାରୀ ଆପତ୍ତି ଉଠାଇଛନ୍ତି। ମଙ୍ଗଳବାର ଗୃହ ଆରମ୍ଭ ହେବା ସମୟରେ ବାଚସ୍ପତି ଭେଙ୍କିଆ ନାଇଡୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟସଭା ସଚିବାଳୟ ସହ ବିଚାର ବିମର୍ଷ କରାଯାଇ ମାର୍ଶଲଙ୍କ ପୋଷାକ ପରିବର୍ତ୍ତନ କରାଯାଇଛି। କିନ୍ତୁ ଏବେ ପୋଷାକକୁ ନେଇ କିଛି ସଦସ୍ୟଙ୍କ ଆପତ୍ତି ରହୁଥିବାରୁ ଏହା ଉପରେ ପୁନର୍ବିଚାର କରାଯିବ ବୋଲି ବାଚସ୍ପତି ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି। ଅନ୍ୟପଟେ ପୂର୍ବତନ ସେନା ଅଧ୍ୟକ୍ଷ ଜେନେରାଲ ପି.ସି. ମଲିକ ଏହାକୁ ବିରୋଧ କରିଥିଲେ। ସେ ନିଜର ଅସହମତି ଏକ ଟୁଇଟ ଜରିଆରେ ପ୍ରକାଶ କରିଥିଲେ। ସେନା ସହ ସମ୍ପର୍କ ନ ରଖିଥିବା ଲୋକ ଉକ୍ତ ପୋଷାକ ପିନ୍ଧିବା ଅନୁଚିତ ଏବଂ ସୁରକ୍ଷା ପାଇଁ ମଧ୍ୟ ବିପଦ ବୋଲି ସେ କହିଛନ୍ତି।