ରାଜ୍ୟସ୍ତରୀୟ ଯୁବସଂସଦ ପ୍ରତିଯୋଗିତା: ‘ଗଣତନ୍ତ୍ର ଓ ସଂସଦ ସମ୍ପର୍କରେ ଛାତ୍ରୀଛାତ୍ର ଜାଣିବା ଉଚିତ’

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଆନୁକୂଲ୍ୟରେ ବୁଧବାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ‘ଯୁବସଂସଦ ପ୍ରତିଯୋଗିତା’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣତନ୍ତ୍ର ଓ ସଂସଦ ସମ୍ପର୍କରେ ଛାତ୍ରୀଛାତ୍ର ଅବଗତ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଗଣତନ୍ତ୍ରର ପ୍ରକୃଷ୍ଟ ଆଲୋଚନାସ୍ଥଳ ଭାବେ ପରିଚିତ ସଂସଦର କାର୍ଯ୍ୟଧାରା ସମୂହକୁ ଭବିଷ୍ୟତ ନାଗରିକଙ୍କୁ ଅବଗତ ତଥା ସଚେତନ କରାଇବା ସମ୍ପର୍କରେ ମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ବାରା ଆୟୋଜିତ ଭାରତର ସାମ୍ପ୍ରତିକ ରାଜନୈତିକ ପଦକ୍ଷେପ, ଶାସକ ଓ ବିରୋଧୀ ଦଳର ଭୂମିକା, କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ତିନି ତଲାକ ବିଲ୍‌ ଉଚ୍ଛେଦ, ଶିକ୍ଷାନୁଷ୍ଠାନଗୁଡ଼ିକରେ ଟ୍ୟୁଶନ ଫି ବୃଦ୍ଧି ଆଦି ପ୍ରସଙ୍ଗକୁ ପ୍ରତିଯୋଗୀମାନେ ଅତ୍ୟନ୍ତ ଜୀବନ୍ତ ଭାବେ ଉପସ୍ଥାପିତ କରିଥିଲେ। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ନିର୍ଦ୍ଦେଶକ ଗଙ୍ଗାଧର ସାହୁ ସ୍ବାଗତ ଭାଷଣ ଓ ବିଭାଗୀୟ ସହକାରୀ ନିର୍ଦ୍ଦେଶକ ସାରଦା ମିଶ୍ର ଧନ୍ୟବାଦ ଦେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବିଭାଗୀୟ ଉପନିର୍ଦ୍ଦେଶକ ଡ. ନିବେଦିତା ନାୟକ ଯୁବସଂସଦ ପ୍ରତିଯୋଗିତାର ପରିଚାଳନା କରିଥିବାବେଳେ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।