Categories: ଭଦ୍ରକ

ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭଣ୍ଡାରିପୋଖରୀ, ୨୦।୧୦ (ସ୍ବ.ପ୍ର.)- ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଦ୍ୱାରା ପରିଚାଳିତ ଭଦ୍ରକ ଜିଲା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ବାରିକପୁରଠାରେ ଶନିବାର ଦୁଇଦିନିଆ ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପୟିନଶିପ୍‌ ଉଦ୍‌ଘାଟିତ ହୋଇଯାଇଛି। ଜିଲା ଆସୋସିଏଶନର ସମ୍ପାଦକ ମନୋରଞ୍ଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ସାଇକ୍ଲିଂ ସଂଘର ସଭାପତି ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତି ମହାପାତ୍ର, ଜିଲା ଆସୋସିଏଶନର ସଭାପତି ପ୍ରଣିତକାନ୍ତ ସାମଲ, ରାଜ୍ୟ ସଂଘର ସମ୍ପାଦକ ବିଜୟ ରାଉତ, ସମାଜସେବୀ ମଦନ ମୋହନ ପଣ୍ଡା, ରଘୁ ପଣ୍ଡା, ଅମୂଲ୍ୟ ନାୟକ, ସୁଧାକର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୧୧ଟି ଜିଲାରୁ ୭୦ ସାଇକ୍ଲିଷ୍ଟ ଭାଗ ନେଇଛନ୍ତି। ପୂର୍ବାହ୍ନ ୧୦ଟାରୁ ପ୍ରତିଯୋଗିତା ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ୫ କି.ମି. ବିଶିଷ୍ଟ ବାରିକପୁର ବଜାରଠାରୁ ଅଭିଲ ଛକ ପର୍ଯ୍ୟନ୍ତ ଆର୍‌ଡି ରାସ୍ତାକୁ ଟ୍ରାକ୍‌ ଭାବେ ବ୍ୟବହୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତୀ ସାଇକ୍ଲିଷ୍ଟମାନଙ୍କୁ ରାଜସ୍ଥାନରେ ହେବାକୁ ଥିବା ଜାତୀୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଆଯିବ ବୋଲି ଜିଲା ସଂଘର ଅର୍ଗାନାଇଜିଂ ସେକ୍ରେଟାରୀ ବାରିକ ସୂଚନା ଦେଇଛନ୍ତି। ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ସୁଶୀଲ କୁମାର ଦାସ, ଶରତ ଦାସ, ନୃସିଂହ ସାହୁ, ସବ୍ୟସାଚୀ ଦାସ, ଦେବାଶିଷ ମହାପାତ୍ର, ଦିଲୀପ ନାଟିଆ, ସୁଶାନ୍ତ ବେହେରା, ସମ୍ବିତ ମହାନ୍ତି, ନିରଞ୍ଜନ ବାରିକ, ଅଜିତ ଶତପଥୀ ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।