Categories: ମେଟ୍ରୋ

ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଉଦ୍‌ଯାପିତ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ହିନ୍ଦୁସ୍ଥାନୀ ସଙ୍ଗୀତ ସଭା ପକ୍ଷରୁ ସୂଚନା ଭବନଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ ଏବଂ ସମ୍ମାନିତ ଅତିଥିଭାବେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ଡ. ଦାମୋଦର ହୋତା, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଓଡ଼ିଶାରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ସ୍ଥିତିକୁ ଆହୁରି ମଜଭୁତ କରିବାକୁ କହିଥିଲେ। ଅନୁଷ୍ଠାନର ଉପସଭାପତି ଡ. ସର୍ବେଶ୍ୱର ଶତପଥୀ ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ଡ. ରଘୁନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। କୃଷ୍ଣଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ସଭାପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ବିହାଗ ରାଗରେ ହିନ୍ଦୁସ୍ଥାନୀ ପଦ୍ଧତିରେ ଧମାର ଗାୟନ ପରିବେଷଣ କରାଯାଇଥିଲା। ଏହାପରେ ଭଦ୍ରକ ଜିଲାର ଶଶୀକାନ୍ତ ସାହୁ ରାଗ ପଟଦୀପରେ ଖୟାଲ, ଜଗତ୍‌ସିଂହପୁରର ନର୍ମଦା ରାଉତରାୟ ରାଗ ଜୋଗ ଏବଂ ଡ. ରଘୁନାଥ ସାହୁ ରାଗ ବସନ୍ତ ପରିବେଷଣ କରିଥିଲେ। ସେହିଭଳି ଅନୁଗୋଳ ଜିଲାର ଗଣେଶ୍ୱର ରାଉତ ତାଳ ତ୍ରିତାଲରେ ଏକକ ତବଲା ବାଦନ କରିଥିବାବେଳେ ନୟାଗଡ଼ ଜିଲାର ଅମିତ କୁମାର ରଥ ରାଗ ମାରଓ୍ବାରେ ଖୟାଲ, କରୁଣାକର ନାୟକ ରାଗ ହିଣ୍ଡୋଳ ଏବଂ ପୁରୀର ସତ୍ୟବ୍ରତ ସୀତାରରେ ରାଗ ଚାରୁକେଶୀ ପରିବେଷଣ କରିଥିଲେ। ବୈଦୁର୍ଯ୍ୟନାଥ କର ମଞ୍ଚ ପରିଚାଳନା କରିଥିଲେ।

Share