Categories: ଖେଳ

ରାଜ୍ୟ ଆଥଲେଟିକ୍‌ ମିଟ୍‌: ଦ୍ୱିତୀୟ ଦିବସରେ ୫ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୭ତମ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ଦ୍ୱିତୀୟ ଦିବସରେ ୫ଟି ମିଟ୍‌ ରେକର୍ଡ ସ୍ଥାପନ ହୋଇଛି। ମହିଳା ୨୦ କିଲୋମିଟର ଚାଲିରେ କଟକର ପ୍ରିୟଙ୍କା ମହାଳିକ ୧ ଘଣ୍ଟା ୫୫.୩୨ ସେକେଣ୍ଡ ସମୟ ନେଇ ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି। ପୂର୍ବରୁ ମିଟ୍‌ ରେକର୍ଡ ଟାଇମିଂ ଥିଲା ୧ ଘଣ୍ଟା ୫୮:୪୬.୫ ସେକେଣ୍ଡ। ସେହିପରି ୧୪ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ କଳାହାଣ୍ଡିର ଜାନକୀ କାନ୍ତ ନାୟକ ୧.୬୭ ମିଟର କ୍ଲିୟର କରି ପୂର୍ବ ରେକର୍ଡ(୧.୫୯)କୁ ପଛରେ ପକାଇ ଦେଇଛନ୍ତି। ୧୮ ବର୍ଷରୁ କମ୍‌ ବାଳକ ୧୦ କିଲୋମିଟର ଚାଲିରେ ଅନୁଗୋଳର ଗୋବିନ୍ଦ ପାଣ୍ଡିଆ ୪୯:୨୭.୧ (ପୂର୍ବ ରେକର୍ଡ ୫୪:୦୫.୭) ସେକେଣ୍ଡ ସମୟ ନେଇ ମିଟ୍‌ ରେକର୍ଡ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳିକା ୩ କିଲୋମିଟର ଚାଲିରେ ଦେବଗଡ଼ର ନିଶା ବାରିକ ୧୬:୧୪.୪ ସେକେଣ୍ଡ ସମୟ ନେଇ ରେକର୍ଡ କରିଛନ୍ତି। ପୂର୍ବ ରେକର୍ଡ ଥିଲା ୧୬:୩୭.୬ ସେକେଣ୍ଡ। ୧୬ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ହର୍ଡଲ୍ସରେ ଭୁବନେଶ୍ୱରର ସବିତା ଟପ୍ପୋ ୧୫.୦ ସେକେଣ୍ଡ ସମୟ ନେଇ ମିଟ୍‌ ରେକର୍ଡ କରିଛନ୍ତି। ପୂର୍ବ ରେକର୍ଡ ଥିଲା ୧୫.୮ ସେକେଣ୍ଡ। ପ୍ରତିଯୋଗିତାର ପ୍ରଥମ ଦିବସରେ ଶନିବାର ୩ଟି ମିଟ୍‌ ରେକର୍ଡ ହୋଇଥିଲା। ସମସାଦ ଆରା ବେଗମ, ଆଂଶିକା ରାଉତରାୟ ଓ ମନୀଶା ମେରାଲ ଏହି ରେକର୍ଡ କରିଥିଲେ।
ଦ୍ୱିତୀୟ ଦିବସରେ ଅନୁଷ୍ଠିତ ପୁରୁଷ ୪୦୦ ମିଟରରେ ଓଡ଼ିଶା ପୋଲିସର ବିଘ୍ନରାଜ ମିରିଡିଆ, ୧୫୦୦ ମିଟର ରେସ୍‌ରେ କଟକର ଭୀମସେନ ଜନକା, ୧୧୦ ମିଟର ହର୍ଡଲ୍ସରେ ଓଡ଼ିଶା ପୋଲିସର ଅମିତ କୁମାର ମହନ୍ତ, ୨୦୦୦୦ ମିଟର ଚାଲିରେ ଗଞ୍ଜାମର କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ହାଇଜମ୍ପରେ କଟକର ସ୍ବାଧୀନ କୁମାର ମାଝି, ଟ୍ରିପଲ ଜମ୍ପରେ କଟକର ସୁକଦେବ ମହାନ୍ତି, ଶଟ୍‌ପୁଟରେ କଟକର ରଞ୍ଜନ କୁମାର ସାହୁ, ଜାଭେଲିନରେ ଖୋର୍ଦ୍ଧାର ଦୀପଙ୍କର ବେହେରା, ଡେକାଥଲନରେ ଓଡ଼ିଶା ପୋଲିସର ପ୍ରବୀଣ ଛେତ୍ରୀ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିପରି ମହିଳା ବିଭାଗ ୪୦୦ ମିଟର ରେସ୍‌ରେ କିଟ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଉନା ମୁର୍ମୁ, ୧୫୦୦ ମିଟରରେ ବରଗଡ଼ର ନମିତା ପ୍ରଧାନ, ୧୦୦ ମିଟର ହର୍ଡଲ୍ସରେ ଓଡ଼ିଶା ପୋଲିସର ଜସମିନ କିସ୍କୁ, ୨୦୦୦୦ ମିଟର ଚାଲିରେ କଟକର ପ୍ରିୟଙ୍କା ମହାଳିକ ଓ ଡିସ୍‌କସ୍‌ ଥ୍ରୋରେ ଇଷ୍ଟକୋଷ୍ଟ ରେଲଓ୍ବେର ପାର୍ବତୀ ସେଠୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Share