ରାଜ୍ୟ କ୍ୟାବିନେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ବୈଠକରେ ମୋଟ୍‌ ୨୦ଟି ପ୍ରସ୍ତାବ ଉପରେ ମଞ୍ଜୁରି ମିଳିଛି। ୨୦୦୭ ଓ ୨୦୧୫ ଶିଳ୍ପନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ, କାରଖାନାରେ ଓଭର ଟାଇମ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ୩ ମାସରେ ୭୫ ଘଣ୍ଟା ଓଭର ଟାଇମ ୧୧୫ ଘଣ୍ଟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଜଣକୁ ଛୁଟି ମିଳିପାରିବ। ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସେହିପରି ବିଜେପୁର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି। ଓଡ଼ିଶା ହେଲ୍ଥ ଇନ୍ସୁରାନ୍ସ ସୋସାଇଟି ଗଠନ କରିବା ନେଇ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧିକାରୀ ଲାଭ ପାଇପାରିବେ। ଏଥିସହିତ ଗ୍ରୁପ ସି ପରୀକ୍ଷା ପାଇଁ ଆଉ କୌଣସି ସାକ୍ଷାତକାର ପରୀକ୍ଷା ହେବ ନାହିଁ। କେବଳ ଲିଖିତ ଟେଷ୍ଟ କରି ଚାକିରୀ ପାଇଁ ଚୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Share