ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୬୦ ଲକ୍ଷ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ, ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ସହ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ପ୍ରସ୍ତାବ କ୍ୟାବିନେଟ୍‌ରେ ଗୃହୀତ ହୋଇଛି।

ଗତବର୍ଷ ଧାନ ସଂଗ୍ରହ ଲକ୍ଷ୍ୟ ୫୫ଲକ୍ଷ ଟନ୍‌ ଥିବା ବେଳେ ଚଳିତ ବର୍ଷ ୬୦ଲକ୍ଷ ଟନ୍‌ ଧାର୍ଯ୍ୟ କରାଯାଇଛି। ସେହିପରି ୪୧ ଲକ୍ଷ ଟନ୍‌ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ ଏସ୍‌ଏଚ୍‌ଜି ମହିଳାମାନେ ସାମିଲ ହେବେ। ପୂର୍ବରୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିବା ବେଳେ ଏବେ ଚାଷୀଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଧାନ ବିକ୍ରି ଟଙ୍କା ମିଳିବ।

ଅପରପକ୍ଷରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ନେଇ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ଟଙ୍କା । ଏଥିସହ ୨ ବର୍ଷରେ ବସ୍‌ଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଶେଷ ହେବ।

Share