ରାଜ୍ୟ କ୍ୟାବିନେଟ: ଶ୍ରୀମନ୍ଦିର ସୁରକ୍ଷା ଓ ଚତୁଃପାର୍ଶ୍ୱ ଉନ୍ନୟନକୁ ଗୁରୁତ୍ୱ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ସଚିବାଳୟରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମନ୍ଦିର ସୁରକ୍ଷା ଓ ଚତୁଃପାର୍ଶ୍ୱ ଉନ୍ନୟନକୁ ଗୁରୁତ୍ୱ ଦିଆଯାଇଛି। ଜଷ୍ଟିସ ବିପି ଦାସ କମିଶନ ଦେଇଥିବା ପ୍ରସ୍ତାବ ଅନୁସାରେ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କରାଯିବ। ଆବଶ୍ୟକ ଜମି ଅଧିଗ୍ରହଣ, ସର୍ଭେ ପାଇଁ ପୁରୀ ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ମିଶି ଯୋଜନା କରିବେ ଜିଲାପାଳ। ଏଥିରେ କ୍ଷତିଗ୍ରସ୍ତ ବ୍ୟକ୍ତି ଓ ସଂସ୍ଥାକୁ ଆବଶ୍ୟକ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ଧାର୍ଯ୍ୟ କ୍ଷତିପୂରଣ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହିପରି ଭାବେ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏତଦ୍‌ବ୍ୟତିତ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ରାଜ୍ୟ କ୍ୟାବିନେଟର ସଦସ୍ୟମାନେ ଉପସ୍ଥିତ ଥିଲେ।