ରାଜ୍ୟ ଜମି ଦେଲେ ଭୁବନେଶ୍ୱରରେ ଶୀଘ୍ର ନୂଆ ଏୟାରପୋର୍ଟ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ଅନ୍ତର୍ଜାତୀୟ ଏୟାରପୋର୍ଟ। ରାଜ୍ୟ ସରକାର ଯେତେଶୀଘ୍ର ଜମି ଯୋଗାଇ ଦେବେ, ସେତେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବୁଧବାର ରାଜ୍ୟ ସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହା କହିଛନ୍ତି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ହରଦୀପ କହିଲେ, କେନ୍ଦ୍ର ଓ ରାଜ୍ୟ ମିଶି ନୂତନ ଏୟାରପୋର୍ଟ ପାଇଁ କାର୍ଯ୍ୟ କରିବେ। ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ୩ଟି ଜାଗା ପର୍ଯ୍ୟାପ୍ତ ନୁହେଁ। ଚତୁର୍ଥ ସ୍ଥାନ ଚୟନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ସାଧାରଣତଃ ଏୟାରପୋର୍ଟର ୧୫୦ କିଲୋମିଟର ଭିତରେ ନୂଆ ଗ୍ରୀନ୍‌ଫିଲ୍ଡ-ଏୟାରପୋର୍ଟ ତିଆରି କରାଯାଏ ନାହଁି। କିନ୍ତୁ ବିଜୁ ପଟ୍ଟନାୟକ ଏୟାରପୋର୍ଟର ଜମି କମ୍‌ ଥିବାରୁ ଭୁବନେଶ୍ୱରରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇ ପାରିବ। ଏଥିସହ ଭୁବନେଶ୍ୱରରୁ ଇଣ୍ଡୋନେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଓ ଶ୍ରୀଲଙ୍କାକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିପାରିବେ। ମନ୍ତ୍ରଣାଳୟ ଜରିଆରେ ଆଲୋଚନା କରିବାକୁ ମଧ୍ୟ ଆମେ ରାଜି ଅଛୁ। ଏଥିସହ ରାଜ୍ୟ ପକ୍ଷରୁ ଦାବି ହେଉଥିବା ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ପାଇଁ ଘରୋଇ ସଂସ୍ଥାଗୁଡ଼ିକ ସହ ଆଲୋଚନା ହୋଇଛି। କୌଣସି ସଂସ୍ଥା ଏଥିପାଇଁ ରାଜି ହୋଇପାରନ୍ତି ବୋଲି ହରଦୀପ ଆଶା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଝାରସୁଗୁଡ଼ା ଏୟାରପୋର୍ଟ ପୂର୍ଣ୍ଣ ବିକଶିତ ହୋଇପାରିନି। ଏଠାରୁ ଅଧିକାଂଶ ବିମାନର ଭୁବନେଶ୍ୱର କୋଲକାତାକୁ କାହିଁକି ମାର୍ଗ ପରିବର୍ତ୍ତନ କରାଯାଉଛି ବୋଲି ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ। କେନ୍ଦ୍ରମନ୍ତ୍ରୀ ହରଦୀପ ଉତ୍ତର ରଖି କହିଲେ, ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ଏୟାରପୋର୍ଟ ହୋଇଥିଲେ ମଧ୍ୟ କିଛି ଭିତ୍ତିଭୂମିର ଅଭାବ ରହିଛି, ଯାହା ମିଳିତ ଉଦ୍ୟମରେ ଠିକ୍‌ ହୋଇପାରିବ। କଲମ୍ବୋ (ଶ୍ରୀଲଙ୍କା), ଜାକର୍ତ୍ତା(ଇଣ୍ଡୋନେସିଆ)କୁ ବିମାନ ସେବା ବ୍ୟବସାୟିକ ପ୍ରସଙ୍ଗ ଉପରେ ନିର୍ଭର କରୁଛି। ଏଥିସହ ଭୁବନେଶ୍ୱର ଏୟାରପୋର୍ଟରେ ଚଳିତବର୍ଷ ୨୫ ପ୍ରତିଶତ ଯାତ୍ରୀ, ୩୦ ପ୍ରତିଶତ ବିମାନ ଓ ୨୪ ପ୍ରତିଶତ କାର୍ଗୋ ଚଳାଚଳ ବୃଦ୍ଧି ହୋଇଛି ବୋଲି ସେ କହିଥିଲେ।

Share