Categories: ଗଞ୍ଜାମ

ରାଜ୍ୟ ନୋଡାଲ ଅଧିକାରୀଙ୍କ ଦିଗପହଣ୍ଡି ଗସ୍ତ

ଦିଗପହଣ୍ଡି,୧୮ା୮(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ଅଜୟ କୁମାର ବାଇ ଶୁକ୍ରବାର ଦିଗପହଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ବିଡିଓ ହଳଧର ଶବର ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସଂଯୋଜିକା ରିନା ପାଢ଼ୀ, ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଚିନ୍ମୟୀ କୁମାରୀ ସାହୁ, ଓଭରସିୟର ଶ୍ୟାମ ସୁନ୍ଦର ପଟ୍ଟନାୟକ, ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ପାଣି ପ୍ରମୁଖ ମଞ୍ଚାସୀନ ଥିଲେ। ନୋଡାଲ ଅଧିକାରୀ ବ୍ଲକ ଅଧୀନ ୨୫ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ଆନୁକୂଲ୍ୟରେ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ରିପୋର୍ଟ ସମ୍ପର୍କିତ ତଥ୍ୟର ଟିକିନିଖି ଯାଞ୍ଚ କରିଥିଲେ। ସମୁଦାୟ କେତେ କର୍ମ ଦିବସ ସୃଷ୍ଟି କରାଯାଇଛି ସେ ନେଇ ଅନୁଧ୍ୟାନ କରିଥିଲେ। କର୍ମ ଦିବସ ସୃଷ୍ଟି କରିବାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ସେ ଉପସ୍ଥିତ କ୍ଷେତ୍ର କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମପଞ୍ଚାୟତ ବୈଷୟିକ ସହାୟକ, କନିଷ୍ଠ ଯନ୍ତ୍ରୀ, ପ୍ରକଳ୍ପ ବୈଷୟିକ ସହାୟକ, ଗ୍ରାମ ରୋଜଗାର ସେବକଙ୍କ ସମେତ ବନବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ପରେ ସେ ସହଦେବ ଟିକରପଡା ଗ୍ରାମରେ ପହଞ୍ଚତ୍ ପ୍ରାୟ ୩୦ ଏକର ଜମିରେ ୩୨ ଚାଷୀ ୨୦୧୮-୧୯ ଆର୍ଥିକ ବର୍ଷରେ କରିଥିବା ଆମ୍ବ ଚାଷ କ୍ଷେତ ବୁଲି ଦେଖିଥିଲେ। ଚାଷୀଙ୍କୁ ମାଗଣାରେ ୩ ହଜାର ଉନ୍ନତ କିସମର ଆମ୍ବଚାରା, ସାର ଓ ଔଷଧ ପ୍ରଦାନ କରାଯାଇଥିବା ନେଇ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ରାଜ୍ୟ ନୋଡାଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ କଇଠଡ଼ା ଗ୍ରାମରେ କରାଯାଇଥିବା ଆଦର୍ଶ ମୋ ଗୁହାଳ ଘର ଦେଖିବା ପରେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ।