ରାଜ୍ୟ ପାଇଁ ଗୌରବ: ବନ୍ଧବାହାଲ ଛାତ୍ର ଚିନ୍ମୟଙ୍କୁ ଇସ୍ରୋର ନିମନ୍ତ୍ରଣ; ଚନ୍ଦ୍ରଯାନ-୨ ଅବତରଣ ଦେଖିବେ

ଲଖନପୁର,୧ା୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବନ୍ଧବହାଲ ଡିଏଭି ପବ୍ଲିକ ସ୍କୁଲର ୮ମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ୱେବ୍‌ସାଇଟ୍‌ www.mygov.in ସ୍ପେସ୍‌ କୁଇଜ ୨୦୧୯ ପ୍ରତିଯୋଗିତାରେ ସର୍ବାଧିକ ନମ୍ବର ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ୭ ତାରିଖରେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ମୁଖ୍ୟାଳୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଚିନ୍ମୟଙ୍କ ସମେତ ରାଜ୍ୟର ୨ଜଣ କୃତୀ ଛାତ୍ର ଯୋଗଦେବ। ଏଥିପାଇଁ ଚିନ୍ମୟଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଇସ୍ରୋ ପକ୍ଷରୁ ନିମନ୍ତ୍ରଣ ଆସିଛି। ୬ ତାରିଖରେ ଚିନ୍ମୟ ବେଙ୍ଗାଲୁରୁ ଅଭିମୁଖେ ବାହାରିବେ। ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶର ୬୦ ଜଣ କୁନି ବୈଜ୍ଞାନିକ ସାମିଲ ହେବେ। ଚିନ୍ମୟଙ୍କ ବାପା ପଙ୍କଜ ଚୌଧୁରୀ ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ରରେ ଜଣେ କେମିଷ୍ଟ ଓ ମାଆ ଦୀପ୍ତିରାଣୀ ପଟେଲ ଜଣେ ଶିକ୍ଷୟିତ୍ରୀ।

Share