ରାଜ୍ୟ ପୋଲିସର ସେବାକୁ ପ୍ରଶଂସା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭ଅବସରପ୍ରାପ୍ତ ଡିଜିପି

ଭୁବନେଶ୍ୱର,୨୨ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲାରେ ଅନ୍ୟତମ ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ। ଏଭଳି ଏକ ବିପଦ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଜନସାଧାରଣଙ୍କୁ ଘରେ ରହି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେଉଛନ୍ତି। ଏପରିକି ନିଜ ଜୀବନକୁ ଖାତିରି ନ କରି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରାସ୍ତାରେ ଛିଡ଼ା ହୋଇ ରହୁଛନ୍ତି। ଏହି ଲଢ଼େଇରେ ସାମିଲ ରାଜ୍ୟର ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟକୁ ଓଡ଼ିଶାର ୭ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭୂୟସୀ ପ୍ରଶଂସା କରିଛନ୍ତି। ସେମାନେ ହେଲେ ଶରତ ମିଶ୍ର, ଅମୀୟ ଭୂଷଣ ତ୍ରିପାଠୀ, ନିମାଇଁ ଚରଣ ପାଢୀ, ବିପିନି ବିହାରୀ ମିଶ୍ର, ସୂଚିତ ଦାସ, ଗୋପାଳ ଚନ୍ଦ୍ର ନନ୍ଦ ଏବଂ ମନମୋହନ ପ୍ରହରାଜ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ବେଶ୍‌ ପ୍ରଶଂସା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଗୃହ ବିଭାଗର ନିରନ୍ତର ପୟାସ ଯୋଗୁ ଅତ୍ୟାବଶ୍ୟକୀୟ ସଂସ୍ଥାଗୁଡ଼ିକ ସ୍ବାଭାବିକ ଭାବେ କର୍ଯ୍ୟ କରୁଛନ୍ତି। ଲୋକେ ପନିପରିବା, ତେଜରାତି ଓ ଔଷଧ ଠିକ୍‌ରେ ଘର ନିକଟରେ ପାଇପାରୁଛନ୍ତି। ଏଭଳି ବ୍ୟବସ୍ଥା ହୋଇ ନ ଥିଲେ ସାଧାରଣ ଲୋକେ ହଇରାଣ ହୋଇଥାନ୍ତେ। ପୋଲିସ କର୍ମଚାରୀଙ୍କ ଖାଦ୍ୟ ବଣ୍ଟନ, ବରିଷ୍ଠନାଗରିକଙ୍କୁ ସହଯୋଗ ଇତ୍ୟାଦି ଜନସେବା ବେଶ୍‌ ପ୍ରସଂଶନୀୟ ବୋଲି ଉଲ୍ଲେଖ କରିଛନ୍ତି। ଟ୍ବିନ୍‌ସିଟିରେ ପୋଲିସ ଯେଉଁଭଳି ସମ୍ବେଦନଶୀଳ ଓ ଦକ୍ଷତାର ସହ କାର୍ଯ୍ୟ କରିଛି ତାହା ଉଚ୍ଚକୋଟୀର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଲେଖି ଜଣାଇଛନ୍ତି। ଏହାଛଡ଼ା ବରିଷ୍ଠ ଆଇପିଏସ୍‌ ସଂଘ, ପୋଲିସ ଡଜି ଅଭୟ ଓ ଟ୍ବିନ୍‌ସିଟିର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସେମାନେ ପୃଥକ୍‌ ଚିଠି ଲେଖି ସେମାନଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ରାଜ୍ୟ ପୋଲିସକୁ ଅବସରପ୍ରାପ୍ତ ଡିଜିଙ୍କ ଏଭଳି ପ୍ରସଂଶା ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଇଛି।

Share