Categories: ଜାତୀୟ

‘ରାଜ୍ୟ ପୋଲିସର ସ୍ବାୟତ୍ତତା ସ୍ପଷ୍ଟ ହେଉ’

ନୂଆଦିଲ୍ଲୀ,୧୬ା୭: ଏନ୍‌ଆଇଏ (ସଂଶୋଧନ) ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ ଜଣାଇଛି। ଦଳ ପକ୍ଷରୁ ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ, ରାଜ୍ୟ ପୋଲିସର ବିନା ପରାମର୍ଶରେ ସମ୍ପୃକ୍ତ ରାଜ୍ୟରେ ତଦନ୍ତ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସ୍ପଷ୍ଟ କରିବା ଆବଶ୍ୟକ। ରାଜ୍ୟ ପୋଲିସକୁ ସୂଚନା ନ ଦେଇ ଏନ୍‌ଆଇଏ ଦ୍ୱାରା ତଦନ୍ତକୁ ଭର୍ତ୍ତୃହରି ବିରୋଧ କରିଥିଲେ। ଏଥିସହିତ ସ୍ବତନ୍ତ୍ର ଏନ୍‌ଆଇଏ ଅଦାଲତ କେନ୍ଦ୍ର ନା ରାଜ୍ୟ ସରକାର କିଏ ନିଯୁକ୍ତ କରିବ ବୋଲି ସେ ଜାଣିବାକୁ ଚାହିଁଥିଲେ।
ଭର୍ତ୍ତୃହରି କହିଥିଲେ, ଏନ୍‌ଆଇଏର ତଦନ୍ତ ପରିସର ବୃଦ୍ଧି ପାଇବା ଆବଶ୍ୟକ। ରାଜ୍ୟ ପୋଲିସର ବିନା ପରାମର୍ଶରେ ଏନ୍‌ଆଇଏ ତଦନ୍ତ କରିପାରିବ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି। ସଂଘୀୟ ଶାସନ ବ୍ୟବସ୍ଥାରେ ସର୍ବୋଚ୍ଚ ପୋଲିସ ଅଧିକାରୀ ମଧ୍ୟ ଦେଶର ସେବକ। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଡିଜିପିଙ୍କୁ ସୂଚନା ଦିଆଯିବ ବୋଲି ବିଲ୍‌ରେ କୁହାଯାଇଛି। କୋଲକାତା ପୋଲିସ କମିଶନରଙ୍କ ମାମଲାର ଉଦାହରଣ ଦେଇ ଭର୍ତ୍ତୃହରି କହିଥିଲେ, ସେଠାରେ ସିବିଆଇ ଏବଂ ରାଜ୍ୟ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ବାହିନୀ ମଧ୍ୟରେ ସେଭଳି ପରିସ୍ଥିତି ସୃଷ୍ଟି ନ ହେବା ଉଚିତ। ବିଦେଶରେ ତଦନ୍ତ କଲାବେଳେ ସମ୍ପୃକ୍ତ ରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରିବା ବ୍ୟବସ୍ଥା ବିଲ୍‌ରେ ରହିଛି। ତେବେ ନିଜ ଦେଶରେ ଅନ୍ତତଃପକ୍ଷେ ରାଜ୍ୟର ସର୍ବୋଚ୍ଚ ପୋଲିସ ଅଧିକାରୀଙ୍କ ସହ କ’ଣ ପାଇଁ ପରାମର୍ଶ କରାଯିବ ନାହିଁ ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଥିଲେ।

Share