Categories: ଖେଳ

ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ସୁନ୍ଦରଗଡ଼, ୨୧।୮ (ଡି.ଏନ୍‌.ଏ) -ସୁନ୍ଦରଗଡରେ ମଙ୍ଗଳବାରଠାରୁ ୭୮ ତମ ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ଚାମ୍ପିୟନଶିପ୍‌କୁ ଉଦ୍‌ଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ ଜିଲାପାଳ ନିଖିଲ ପବନ କଲ୍ୟାଣ, ଡିଏଫ୍‌ଓ ଡଃ. ଅରୁଣ କୁମାର ମିଶ୍ର, ୨ୟ ବାଟାଲିୟନ କମାଣ୍ଡାଣ୍ଟ ଆଶୀଷ କୁମାର ଦୁବେ, ରାଜ୍ୟ ପୋଲିସ କ୍ରୀଡା ଅଧିକାରୀ ବିଭୂତି ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସୁନ୍ଦରଗଡ ଏସ୍‌ପି ତଥା ଆୟୋଜକ ପରିଚାଳନା କମିଟିର ସମ୍ପାଦିକା ସୌମ୍ୟା ମିଶ୍ର ପ୍ରାରମ୍ଭରେ ସ୍ବାଗତ ଅଭିଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ ସୁନ୍ଦରଗଡ ଜିଲା ପୋଲିସ ଓ ୨ୟ ଏସ୍‌ଏସ୍‌ ବାଟାଲିୟନ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧-୦ ଗୋଲରେ ଏସଏସ ବାଟାଲିୟନ କେନ୍ଦୁଝର ଦଳ ବିଜୟୀ ହୋଇଥିଲେ। ସେହିପରି ୨ୟ ମ୍ୟାଚ୍‌ ଓଏସ୍‌ଏପି ୨ୟ ବାଟାଲିୟନ ଝାରସୁଗୁଡା ବନାମ ରାୟଗଡା ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡା ଓଏସ୍‌ଏପି ୨ୟ ବାଟାଲିୟନ ୨-୦ ଗୋଲରେ ବିଜୟୀ ହୋଇଛି। ତୃତୀୟ ମ୍ୟାଚ୍‌ ୧ମ ଆଇଆରବିଏମ୍‌ କୋରାପୁଟ ଏବଂ ଜଗତସିଂହପୁର ପୋଲିସ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରାଇବେକର ଜରିଆରେ ଜଗତସିଂହପୁର ଦଳ ବିଜୟୀ ହୋଇଥିଲେ। ଚତୁର୍ଥ ମ୍ୟାଚ୍‌ ଓଏସଏପି ଷଷ୍ଠ ବାଟାଲିୟନ କଟକ ବନାମ ରାଉରକେଲା ଏସଆରପି ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଓଏସଏପି ଷଷ୍ଠ ବାଟାଲିୟନ କଟକ ୬-୦ରେ ବିଜୟୀ ହୋଇଛି। ପଞ୍ଚମ ମ୍ୟାଚ୍‌ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟ ବନାମ ୫ମ ଆଇଆରବିଏନ୍‌ ବୌଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଏସଏପି ୩ୟ ବାଟାଲିୟନ କୋରାପୁଟ ୪-୦ ଗୋଲରେ ବିଜୟୀ ହୋଇଛି। ଓଆଇଏସଏଫ୍‌ ଭୁବନେଶ୍ୱର ଓ ଯାଜପୁର ପୋଲିସ ମଧ୍ୟରେ ଅନୁଷ୍ଠିତ ଷଷ୍ଠ ମ୍ୟାଚରେ ଓଆଇଏସଏଫ୍‌ ଦଳ ୫-୦ ଗୋଲରେ ବିଜୟୀ ହୋଇଛି। ଓଡିଶା ଅଗ୍ନିଶମ ବିଭାଗ ବନାମ ଢେଙ୍କାନାଳ ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଓଡିଶା ଅଗ୍ନିଶମ ବିଭାଗ ୨-୦ ଗୋଲରେ ବିଜୟୀ ହୋଇଛି। ୯ମ ଏସପିଏଲ ଆଇଆରବିଏନ୍‌ କଳାହାଣ୍ଡି ବନାମ ସୁବର୍ଣ୍ଣପୁର ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ସୁବର୍ଣ୍ଣପୁର ପୋଲିସ ୨-୦ ଗୋଲରେ ବିଜୟୀ ହୋଇଛି। ୨ୟ ଆଇଆରବିଏନ୍‌ ରାୟଗଡା ବନାମ କନ୍ଧମାଳ ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୨ୟଆଇଆରବିଏନ୍‌ ରାୟଗଡା ୦-୨ ଗୋଲରେ ବିଜୟୀ ହୋଇଛି। ୧ମଏସଏସବିଏନ୍‌ ସମ୍ବଲପୁର ବନାମ ଓଏସଏପି ୫ମ ବାଟାଲିୟନ ବାରିପଦା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବାରିପଦା ଦଳ ୨-୦ ଗୋଲରେ ବିଜୟୀ ହୋଇଛି। ସେହିପରି ୩ୟ ଆଇଆରବିଏନ୍‌ କଳିଙ୍ଗନଗର ବନାମ ବରଗଡ ପୋଲିସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୩ୟ ଆଇଆରବିଏନ୍‌ କଳିଙ୍ଗନଗର ୪-୦ ଗୋଲରେ ବିଜୟୀ ହୋଇଛି । ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଫୁଟବଲ ଚାମ୍ପିୟନଶିପରେ ମୋଟ ୪୬ଟି ଦଳ ଭାଗ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩ଟି ଦଳ ଭାଗ ନେଇଛନ୍ତି। ଏହି ଫୁଟବଲ ଚାମ୍ପିୟନଶିପ୍‌ ୫ ତାରିଖରେ ଉଦ୍‌ଯାପିତ ହେବ।

Share