ରାଜ୍ୟ ପ୍ରଶାସନରେ ଅଦଳବଦଳ: ଅସିତଙ୍କୁ କେବିକେ ପ୍ରଶାସନର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ରାଜ୍ୟ ଶୀର୍ଷସ୍ତରୀୟ ପ୍ରଶାସନରେ ବ୍ୟାପକ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅନୁମୋଦନ କ୍ରମେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା ଅଫିସର ଅସିତ କୁମାର ତ୍ରିପାଠୀଙ୍କୁ କୋରାପୁଟସ୍ଥିତ କେବିକେ ପ୍ରଶାସନର ମୁଖ୍ୟଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। କେବିକେ ପ୍ରଶାସନ ମୁଖ୍ୟ ଥିବା ସୁଦର୍ଶନ ପାଲଠାକୁରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ ଓ ଗାପବନ୍ଧୁ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶିକା ରଞ୍ଜନା ଚୋପ୍ରାଙ୍କୁ ଏସ୍‌ସି, ଏସ୍‌ଟି, ଓବିସି ଏବଂ ସଂଖ୍ୟାଲଘୁ ବିକାଶ ବିଭାଗ ପ୍ରମୁଖ ସଚିବଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଇଲେକ୍ରୋଟିକ୍ସ ଏବଂ ବୈଷୟିକ ଶିକ୍ଷା ବିଭାଗର ଏଏସିଏସ୍‌ଥିବା ସି.ଜେ ଭେଣୁଗୋପାଳଙ୍କୁ କଟକସ୍ଥିତ ରାଜସ୍ବ ପର୍ଷଦର ସଭ୍ୟଭାବେ ମନୋନୀତ କରାଯାଇଛି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ନୀତେନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ଓ ପେନସନ୍‌, ଅଭିଯୋଗ ବିଭାଗର ସ୍ବତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ଡି.କେ ସିଂହଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅବକାରୀ କମିଶନର ତଥା ସଚିବ ସୁଶୀଲ କୁମାର ଲୋହାନୀଙ୍କୁ କଟକସ୍ଥିତି ବାଣିଜି୍ୟକ କର କାର୍ଯ୍ୟାଳୟର କମିଶନରଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କଟକ ଆଇଜି ପୋଲିସ ଅରୁଣ ବ୍ରୋଥାଙ୍କୁ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ଦାୟିତ୍ୱ ଦିଆଯାଇଛି। ଏସ୍‌ସି, ଏସ୍‌ଟି,ଓବିସି ଓ ସଂଖ୍ୟାଲଘୁ ବିକାଶ ଭାରାପ୍ରାପ୍ତ ସଚିବ ଆର.ରଘୁ ପ୍ରସାଦଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ସହ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ସହ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ବିଶାଳ ଗଗନଙ୍କୁ ପୂର୍ଣ୍ଣଭାବେ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବଭାବେ ନିଯୁକ୍ତି ଦିଆଯାଇଛି।

Share