ରାଜ୍ୟ ବଜେଟ: ୨୦୨୦-୨୧

ଡ. ସନ୍ତୋଷ କୁମାର ମହାପାତ୍ର
ଫେବୃୟାରୀ ୧୮ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥତ୍କ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମଥର ପାଇଁ ଅର୍ଥମନ୍ତ୍ରୀ ଇ-ବଜେଟ ଉପସ୍ଥାପନ କରିଛନ୍ତି। ଫଳରେ ବଜେଟ ପୁସ୍ତିକା ଛପାଜନିତ ବ୍ୟୟ ଓ ସମସ୍ୟାରୁ ରାଜ୍ୟ ମୁକ୍ତିପାଇଛି। ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜେଟ ଓଡ଼ିଶା ଗଠନ ପ୍ରକ୍ରିୟାରେ ସହାୟକ ହେବ ବୋଲି କହିଲା ବେଳେ ବିରୋଧୀ ଦଳ ଏହାକୁ ନୈରାଶ୍ୟଜନକ, ନୂତନତ୍ୱବିହୀନ ଏବଂ ଏଥିରେ ଲୋକଙ୍କୁ ରୋଜଗାର ଦେବାର ଉଦ୍ୟମ ନାହିଁ ବୋଲି କହିଛନ୍ତି। ଅର୍ଥମନ୍ତ୍ରୀଙ୍କ କହିବାନୁସାରେ ବଜେଟରେ ଭିତ୍ତିଭୂମି, ସ୍ବାସ୍ଥ୍ୟସେବା, ଶିକ୍ଷା, ଖେଳ, ପର୍ଯ୍ୟଟନ, ପରିବେଶର ଉନ୍ନତି ପାଇଁ ଧ୍ୟାନ ଦିଆଯାଇଛି। ମୋ ସରକାରର ୫-ଟି ମନ୍ତ୍ର ଏଥିରେ ପ୍ରତିଫଳିତ ହୋଇଛି, ଯାହା ଅର୍ଥନୀତିକୁ ପ୍ରଗତି ପଥରେ ନେଇଯିବ। ବିଭିନ୍ନ ସାମାଜିକ ତଥା ଆର୍ଥତ୍କ କ୍ଷେତ୍ରରେ ଅଧିକ ବିନିଯୋଗ ଯୋଗୁ ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ପ୍ରଗତି ତ୍ୱରାନ୍ବିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପୂର୍ବପରି ଏଥର ମଧ୍ୟ ଅର୍ଥମନ୍ତ୍ରୀ ସ୍ବତନ୍ତ୍ର କୃଷି ବଜେଟ ଓ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହା ସହିତ ୟୁନିସେଫ୍‌ ସହାୟତା, ଶିଶୁ ବଜେଟ, ଜେଣ୍ଡର ବା ଲିଙ୍ଗ ବଜେଟ, ଜଳବାୟୁ ବଜେଟ, ପୁଷ୍ଟି ବଜେଟ ଉପସ୍ଥାପନ କରିଛନ୍ତି। ଭାରତବର୍ଷରେ ଜଳବାୟୁ ଓ ପୁଷ୍ଟି ସମ୍ପର୍କିତ ବଜେଟ ଉପସ୍ଥାପନ କରିବାରେ ଓଡ଼ିଶା ପ୍ରଥମ। ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରିବା ସ୍ବାଗତଯୋଗ୍ୟ। କିନ୍ତୁ ଆର୍ଥିକ ସର୍ବେକ୍ଷଣ ପରି ଗୋଟିଏ ପୁସ୍ତିକାରେ ସବୁଯାକ ସନ୍ନିବେଶିତ କରିଥିଲେ କମ୍‌ ସମୟରେ ଡାଉନଲୋଡ କରିବା ଓ ଅଧ୍ୟୟନ କରିବା ସହଜ ହୋଇଥାନ୍ତା। ପୁନଶ୍ଚ ସ୍ବତନ୍ତ୍ର ବଜେଟ ଉପସ୍ଥାପନ ଅର୍ଥ ନୁହେଁ ସେହି କ୍ଷେତ୍ରରେ ଅଧିକ ବ୍ୟୟବରାଦ ଆପେ ଆପେ ହୋଇଯିବ। ସାଧାରଣତଃ ଏକ ବଜେଟକୁ ଯେତେବେଳେ ସମୀକ୍ଷା କରାଯାଏ, ନୋମିନାଲ ମୂଲ୍ୟରେ କେତେ ବୃଦ୍ଧି ପାଇବ ତାହା ବିଚାର କରାଯାଏ ନାହିଁ। କାରଣ ଏହା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇଥାଏ। ଏଣୁ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କେତେ ବ୍ୟୟ ଅଟକଳ ବୃଦ୍ଧି ପାଇଛି, ତାହା ସମୀକ୍ଷା ହେବାକଥା। ରାଜ୍ୟ ଜିଡିପି ଅନୁସାରେ ମୋଟ ବ୍ୟୟ ତଥା ବିଭିନ୍ନ କ୍ଷେତ୍ରରେ ବ୍ୟୟ, ରାଜସ୍ବ, ଅଣରାଜସ୍ବ କେତେ ବୃଦ୍ଧି ପାଇଛି ତାହାକୁ ବିଚାରକୁ ନିଆଯାଇଥାଏ। ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ୨୦୨୦-୨୧ ବର୍ଷରେ ନୋମିନାଲ ଜିଏସ୍‌ଡିପି ୧୧.୭% ବୃଦ୍ଧି ପାଇବ ବୋଲି ଧାର୍ଯ୍ୟ କରିଛନ୍ତି। ଅର୍ଥାତ୍‌ ବାସ୍ତବ ଜିଏସ୍‌ଡିପି ବୃଦ୍ଧି ୭% ହେବ ବୋଲି ଆକଳନ କରାଯାଇଥିବା ବେଳେ ମୁଦ୍ରାସ୍ଫୀତି ୪.୭% ହେବ ବୋଲି ଆଶା କରାଯାଇଛି। ଅର୍ଥାତ୍‌ ନୋମିନାଲ ଜିଏସ୍‌ଡିପି ଯାହା ୨୦୧୯-୨୦ ଆର୍ଥକ ବର୍ଷରେ ଧାର୍ଯ୍ୟ ଅଟକଳ ଅନୁସାରେ ୫,୪୦,୮୧୨ କୋଟି ଟଙ୍କା ଏବଂ ସଂଶୋଧିତ ଅଟକଳରେ ହ୍ରାସ ପାଇ ୫,୩୩,୮୨୨ କୋଟି ଟଙ୍କା ହୋଇଥିଲା, ତାହା ବୃଦ୍ଧି ପାଇ ୨୦୨୦-୨୧ ବର୍ଷରେ ୫,୯୬,୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାକୁ ଭିତ୍ତିକରି ସେ ୨୦୨୦-୨୧ ବର୍ଷ ପାଇଁ ମୋଟ ବଜେଟ ବ୍ୟୟ ଅଟକଳ ୧,୫୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ପୂର୍ବ ଆର୍ଥିକ ବର୍ଷରେ ଏହା ୧,୩୯,୦୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା ବେଳେ ସଂଶୋଧିତ ଅଟକଳରେ ଏହା ୧,୩୫,୦୦୦ କୋଟି ଟଙ୍କା ହୋଇଛି। ଅର୍ଥାତ୍‌ ୨୦୧୯-୨୦ର ସଂଶୋଧିତ ଅଟକଳ ଉପରେ ୨୦୨୦-୨୧ ବର୍ଷର ବ୍ୟୟବରାଦ ବା ବଜେଟ ଅଟକଳ ୧୧.୧୧% ଅଧିକ।
ଏହା ସତ୍ତ୍ୱେ ଯେତେବେଳେ ଅଭିବୃଦ୍ଧି ହାର ହ୍ରାସ ପାଉଛି ସେତେବେଳେ ଅଧିକ ଅଭିବୃଦ୍ଧି କିପରି ହେବ ତାହା ଅର୍ଥମନ୍ତ୍ରୀ କହିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୮-୧୯ରେ ଆର୍ଥିକ ଅଭିବୃଦ୍ଧି ୮.୨୪% ଧାର୍ଯ୍ୟ କରାଯାଇଥିବା ବେଳେ ବାସ୍ତବରେ ଏହା ୭.୯% ହୋଇଛି। ସେହିପରି ୨୦୧୯-୨୦ରେ ବାସ୍ତବ ଅଭିବୃଦ୍ଧି ୭.୬% ଏବଂ ନାମାଙ୍କନ ଅଭିବୃଦ୍ଧି ୧୧% ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ବାସ୍ତବରେ ଏହା ଯଥାକ୍ରମେ ୬.୧% ଏବଂ ୭.୬୬% ହୋଇଛି। ବାସ୍ତବ ଏବଂ ନାମାଙ୍କନ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ମାତ୍ର ୧.୫୬% ହେବା ଯୋଗୁ ତଥ୍ୟ ନେଇ ମନରେ କିଛିଟା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅବଶ୍ୟ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗତ ୭ ବର୍ଷରେ ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ମାତ୍ର ୬% ହୋଇଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ୮%।
ବଜେଟରେ ମୋଟ ବ୍ୟୟବରାଦ ବୃଦ୍ଧି ସହିତ ତାଳଦେଇ ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ପାଇଛି। କିଛି କ୍ଷେତ୍ରରେ ନାମାଙ୍କନ ମୂଲ୍ୟରେ ମଧ୍ୟ ହ୍ରାସ ପାଇଛି। ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କିଛି କ୍ଷେତ୍ରରେ ମଧ୍ୟ ହ୍ରାସ ପାଇଛି। ପ୍ରଶାସନିକ ବ୍ୟୟ ୨୦୧୯-୨୦ରେ ୫୭,୩୧୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଏହା ସଂଶୋଧିତ ଅଟକଳରେ ୫୫,୪୯୦ କୋଟି ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଏହି ବଜେଟରେ ଏହା ୬୫,୬୫୫ କୋଟି ଟଙ୍କା ହେବ ବୋଲି ଧାର୍ଯ୍ୟ କରାଯାଇଛି। ସେହିପରି କାର୍ଯ୍ୟକ୍ରମ ବ୍ୟୟ ଯାହା ୨୦୧୯-୨୦ ବର୍ଷରେ ୭୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା, ତାହା ସଂଶୋଧିତ ଅଟକଳରେ ୬୮,୦୦୦ କୋଟି ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଏହି ବଜେଟରେ ଏହା ୭୪,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୩୨୦୦ କୋଟି ଟଙ୍କା ଏବଂ ଲୋକାଲ ବଡିଜ୍‌ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପାଇଁ ୭୧୪୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ବଜେଟ ବାହାରେ ୬୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରୁ ରାଜ୍ୟ ଯୋଜନା ପାଇଁ ୪୪୯୮୮.୧୦କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ କେନ୍ଦ୍ରୀୟ ଯୋଜନା ପାଇଁ ୪୫୬.୨୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୨୮୫୫୫.୭୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।
ସାଧାରଣତଃ ପୁଞ୍ଜି ବ୍ୟୟ ଅଧିକ ହେବା ଭଲ। କାରଣ ଏହା ସମ୍ପଦ ସୃଷ୍ଟି କରିବା ସହିତ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ବଜେଟରେ ଏହା ବୃଦ୍ଧି ପାଇଛି। ୨୦୧୯-୨୦ରେ ସଂଶୋଧିତ ଅଟକଳ ୨୩୬୫୫.୨୪ ଟଙ୍କା ହୋଇଥିଲାବେଳେ ଏହି ବଜେଟ୍‌ରେ ଏହା ୨୬୫୧୩.୪ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ରାଜ୍ୟ ଜିଏସ୍‌ଡିପିର ୪.୫%। କାର୍ଯ୍ୟକ୍ରମ ବ୍ୟୟର ମୁଖ୍ୟ ଅଂଶ ପୁଞ୍ଜିବ୍ୟୟ ଆଡକୁ ନିଆଯାଇଛି। କିନ୍ତୁ ବେଶି ଚିନ୍ତାର ବିଷୟ ହେଉଛି ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିର କୁପ୍ରଭାବ ରାଜ୍ୟ ଉପରେ ଅନୁଭୂତ ହୋଇଛି। ରାଜ୍ୟର ୨୦୧୯-୨୦ ବର୍ଷରେ ଧାର୍ଯ୍ୟ ବ୍ୟୟବରାଦ ଏବଂ ମୋଟ ରାଜସ୍ବ ପ୍ରାପ୍ତି ୪୦୦୦ କୋଟି ଟଙ୍କା ସଂଶୋଧିତ ଅଟକଳରେ ହ୍ରାସପାଇଛି। ମୋଟ ରାଜସ୍ବ ପ୍ରାପ୍ତି ୧,୧୫,୨୬୬କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ସଂଶୋଧିତ ଅଟକଳରେ ଏହା ୧୧୧୭୦.୨୫ କୋଟି ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ରାଜ୍ୟର ଏହି ହ୍ରାସ ପାଇଁ କେନ୍ଦ୍ର ଦାୟୀ। କେନ୍ଦ୍ରୀୟ ଟିକସ ହ୍ରାସ ପାଇବା ଯୋଗୁ କେନ୍ଦ୍ରରୁ ରାଜ୍ୟଗୁଡ଼ିକ ଅର୍ଥ କମିଶନ ସୁପାରିସ ଅନୁଯାୟୀ ଯେଉଁ ପାଣ୍ଠି ପାଇଥାନ୍ତି ତାହା ହ୍ରାସ ପାଇଛି। ୨୦୧୯-୨୦ ବର୍ଷରେ ରାଜ୍ୟ ଏ ବାବଦରେ କେନ୍ଦ୍ରରୁ ୩୯୨୦୬.୫୯ କୋଟି ଟଙ୍କା ପାଇବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ବାସ୍ତବରେ ୩୦୪୫୩.୨୫ କୋଟି ଟଙ୍କା ମାତ୍ର ପାଇଛି। ରାଜ୍ୟର ନିଜସ୍ବ ଅଣଟିକସ ଏବଂ କେନ୍ଦ୍ରର ଅନୁଦାନ ପରିମାଣ ବୃଦ୍ଧି ଯୋଗୁ ଏହା କିଛିଟା ଭରଣା ହୋଇଛି।
ରାଜ୍ୟ ସରକାର ସର୍ବଦା ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରୁଛନ୍ତି। କିନ୍ତୁ ଏଥର ପୂର୍ବ ବର୍ଷ ଅପେକ୍ଷା ବ୍ୟୟବରାଦ ହ୍ରାସ ପାଇଛି। ଗତ ବଜେଟରେ ଏହା ୨୦,୭୧୬ କୋଟି ଟଙ୍କା ଥିଲାବେଳେ ଏହି ବଜେଟରେ ୧୯,୪୦୮ କୋଟି ଟଙ୍କାକୁ ହ୍ରାସ ପାଇଛି। ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ ଜଳସେଚନ ଅଭାବ ଯୋଗୁ ଚାଷୀମାନେ ବୀତସ୍ପୃହ ହୋଇ କୃଷି କାର୍ଯ୍ୟ ଛାଡୁଛନ୍ତି। ଏବେ ସୁଦ୍ଧା ଅନେକ ଦ୍ରବ୍ୟ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ରାଜସ୍ବ ଆଦାୟ ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ବେକାରି ସମସ୍ୟାର ସମାଧାନ, ନିଯୁକ୍ତି ବୃଦ୍ଧି, କୃଷି ସଂକଟର ସମାଧାନ, ରୁଗ୍‌ଣ ଶିଳ୍ପର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri