ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା

ବନ୍ତ, ୨୯ା୩(ସ୍ବ.ପ୍ର.)-ବନ୍ତ ବ୍ଲକ ଆଗରପଡା ଥାନା ପୁରୁଷଣ୍ଢ ଗ୍ରାମରେ ବାହାର ରାଜ୍ୟରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟରୁ କେତେକ ଲୋକ ଏଠାରେ ଦୀର୍ଘ ବର୍ଷ ହେବ ରହି ଆଗରପଡା ଅଞ୍ଚଳରେ ଶ୍ରମିକ ଭାବେ କାମ କରି ରୋଜଗାର କରୁଥିଲେ। କରୋନା ପାଇଁ ଲକ୍‌ଡାଉନ କଟକଣା ଜାରି ହେବା ପରେ ସେମାନଙ୍କ ମଧ୍ୟରୁ ୧୬ଜଣ ନିଜ ରାଜ୍ୟକୁ ଯାଇ ନ ପାରି ରହିଯାଇଥିଲେ। ଏବେ କାମଧନ୍ଦା ବନ୍ଦ ଥିବାରୁ ସେମାନେ ଭୋକ ଉପାସରେ ରହୁଥିଲେ। ପ୍ରଶାସନ ଜାଣିବା ପରେ ଶନିବାର ବନ୍ତ ଅତିରିକ୍ତ ତହସିଲଦାର ବନିତାରାଣୀ ସିଙ୍କୁ, ବିଡିଓ ରେବିକା ବିଲୁଙ୍ଗ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ଜେନା ପହଞ୍ଚି ଆଲୋଚନା କରି ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରିଥିଲେ। ଅତିରିକ୍ତ ତହସିଲଦାର ବ୍ୟକ୍ତିଗତ ଭାବେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।