ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଦାୟିତ୍ୱ ନେଲେ ସୁଲୋଚନା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁଲୋଚନା ଦାସ। ବୁଧବାର ସକାଳେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସୁଲୋଚନା କାର୍ଯ୍ୟାଳୟରେ ପହଞ୍ଚତ୍ କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଭିନ୍ନକ୍ଷମମାନେ ଯେପରି ନିଜ ଅଧିକାର ପାଇପାରିବେ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ ହୋଇପାରିବେ ତାହା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଆଗାମୀ ଦିନରେ ସମସ୍ତ ବିଭାଗକୁ ନେଇ, ବିଶେଷକରି ଭିନ୍ନକ୍ଷମଙ୍କ ପାଇଁ ପ୍ରତ୍ୟେକ ବିଭାଗ ଯେପରି ସଚେତନ ହୋଇପାରିବେ ସେଦିଗରେ କାର୍ଯ୍ୟ କରିବେ। ପରିବହନ ବ୍ୟବସ୍ଥାଠାରୁ ଆରମ୍ଭକରି ପବ୍ଲିକ ବିଲ୍ଡିଂ ପର୍ଯ୍ୟନ୍ତ, ସବୁଠାରେ ଭିନ୍ନକ୍ଷମ ଉପଯୋଗୀ ବ୍ୟବସ୍ଥାମାନ କରାଯିବ। ବେସରକାରୀ ସଂସ୍ଥାମାନେ ଯେପରି ନିଜ ସିଏସ୍‌ଆର୍‌ ଆକ୍ଟିଭିଟିରେ ଭିନ୍ନକ୍ଷମଙ୍କ ପାଇଁ ଉପଯୋଗୀ କାର୍ଯ୍ୟକ୍ରମମାନ କରିବେ ତାହାଉପରେ ସେ ଗୁରୁତ୍ୱ ଦେବେ ବୋଲି ଦାସ କହିଥିଲେ। ପରେ ଭୀମଭୋଇ ବ୍ଲାଇଣ୍ଡ୍‌ ସ୍କୁଲ୍‌କୁ ପରିଦର୍ଶନରେ ଯାଇ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହ ମିଶିବା ସହ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।