ରାଜ୍ୟ ମନ୍ତ୍ରିମଣ୍ଡଳରେ ୬୨ ପ୍ରତିଶତ ନେତା କୋଟିପତି : ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ରାଜ୍ୟ ମନ୍ତ୍ରିମଣ୍ଡଳର ୬୨ପ୍ରତିଶତ ସଦସ୍ୟ କୋଟିପତି ରାଜନେତା। ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ କୋଟିପତି ରାଜନେତା ମନ୍ତ୍ରୀପରିଷଦରେ ସ୍ଥାନ ପାଇଛନ୍ତି। ୨୦୧୪ ନିର୍ବାଚନ ପରେ ଗଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍‌ରେ ୫୯ ପ୍ରତିଶତ କୋଟିପତି ମନ୍ତ୍ରୀ ରହିଥିଲେ। ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତିର ପରିମାଣ ୭.୩୪ କୋଟି ଟଙ୍କା ରହିଥିଲା। ସେତେବେଳେ ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରୀଙ୍କ ହାରିହାରି ସମ୍ପତ୍ତିର ପରିମାଣ ୨.୨୭ ପ୍ରତିଶତ ରହିଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିର ପରିମାଣ ସର୍ବାଧିକ ୬୩ କୋଟି ଟଙ୍କା ଉଲ୍ଲେଖ କରାଯାଇଥିବା ବେଳେ ନବ ଦାସଙ୍କ ସମ୍ପତ୍ତି ୩୩ କୋଟି ଏବଂ ପ୍ରତାପ ଜେନାଙ୍କ ସମ୍ପତ୍ତି ୯ କୋଟି ବୋଲି ଦର୍ଶାଯାଇଛି। ଅନୁରୂପ ଭାବେ ବକେୟା ଦେୟ ବାବଦରେ ମନ୍ତ୍ରୀ ନବ ଦାସ (୨୧ କୋଟି) , ରଣେନ୍ଦ୍ର ପ୍ରତାପ ସ୍ବାଇଁ(୨୭ ଲକ୍ଷ) ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ୨ ଲକ୍ଷ ଟଙ୍କା ରହିଛି। ଗତଥର ୬ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଚଳିତଥର ୮ ମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା ରହିଛି। ଆପରାଧିକ ମାମଲା ଥିବା ମନ୍ତ୍ରୀମାନଙ୍କ ପ୍ରତିଶତ ୨୭%ରୁ ୩୮% ବୃଦ୍ଧି ପାଇଛି। ଗତଥର ୪ ଜଣଙ୍କ ନାଁରେ ଗୁରୁତର ଆପରାଧିକ ମାମଲା ଥିବାବେଳେ ଚଳିତ ମନ୍ତ୍ରିପରିଷଦରେ ୭ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ରହିଛି। ସେହିପରି ମନ୍ତ୍ରିମଣ୍ଡଳରେ ପୂର୍ବପରି ମାତ୍ର ୨ ଜଣ ମହିଳାଙ୍କୁ ସ୍ଥାନ ମିଳିଛି।