କଟକ ଅଫିସ,୧୯ା୧୧: ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ ବିଭିନ୍ନ ପଦବୀ ପୂରଣ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଅନ୍ତ ଘଟିଛି। ରାଜ୍ୟ ସରକାର ମାନବାଧିକାର ଆୟୁକ୍ତ ପଦବୀ ଏବଂ ସଦସ୍ୟ ପଦବୀ ପୂରଣ କରିବା ପରେ ଏହି ମାମଲାର ଆଉ ଆବଶ୍ୟକତା ନାହିଁ ବୋଲି ଆବେଦନକାରୀ ଦର୍ଶାଇବା ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଝାବେରୀ ଓ ଜଷ୍ଟିସ୍ କେଆର୍ ମହାପାତ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଅନ୍ତ ଘଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଶିଶୁ ମୃତ୍ୟୁ ତଥା ଅନ୍ୟାନ୍ୟ ମାନବାଧିକାର ଉଲ୍ଲଂଘନ ଘଟଣା ବୃଦ୍ଧି ପାଇଥିବାବେଳେ ରାଜ୍ୟ ମାନବାଧିକାର ଆୟୁକ୍ତ ଓ ସଦସ୍ୟ ପଦବୀ ଦୀର୍ଘଦିନ ଖାଲି ପଡ଼ିଥିଲା। ଫଳରେ ଏ ନେଇ ଆଇନଜୀବୀ ପ୍ରବୀର ଦାସ ହାଇକୋର୍ଟରେ ଏକ ମାମଲା ରୁଜୁ କରିବା ସହ ଉପରୋକ୍ତ ପଦବୀ ପୂରଣ କରିବାକୁ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।