ରାଜ୍ୟ ମାନବାଧିକାର କମିଶନ: ଅଧ୍ୟକ୍ଷ, ସଦସ୍ୟଙ୍କ ନାମ ସୁପାରିସ କଲା ଚୟନ କମିଟି

ଭୁବନେଶ୍ୱର, ୨୦।୮ (ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ଓ ଜଣେ ସଦସ୍ୟ ପଦବୀ ପୂରଣ ପାଇଁ ଚୟନ କମିଟି ଦୁଇ ଜଣଙ୍କ ନାମ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ସୁପାରିସ କରିଛି। ସୋମବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଅଧ୍ୟକ୍ଷଙ୍କୁ ମିଶାଇ ଦୁଇ ଜଣଙ୍କ ନାମ ସୁପାରିସ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ଜଷ୍ଟିସ ରଘୁବୀର ଦାଶଙ୍କୁ ଓଏଚ୍‌ଆରସି ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ଜଣେ ଜିଲା ଜଜ୍‌ ଓ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିବା ଜଣାପଡିଛି। ତେବେ କାହା ନାମ ସୁପାରିସ କରାଯାଇଛି ତାହା ଗୋପନ ରଖାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଜଷ୍ଟିସ ଆର.କେ. ପାତ୍ର ମାନବାଧିକାର କମିଶନ ଅଧ୍ୟକ୍ଷ ପଦବୀରୁ ଅବସର ଗ୍ରହଣ କରିବା ପରେ ୨୦୧୨ରୁ ଏହା ଖାଲି ରହିଛି। ତେବେ ଜଷ୍ଟିସ ବୀର କିଶୋର ମିଶ୍ରଙ୍କୁ ଓଏଚଆରସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତ ୧୫ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଅଧ୍ୟକ୍ଷ ପଦବୀ ଖାଲି ରହିଛି। ରାଜ୍ୟ ମାନବାଧିକାର କମିଶନରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅଧ୍ୟକ୍ଷ ରହିବା ବ୍ୟବସ୍ଥା ଥିଲା। ତେବେ ଗତ ପାର୍ଲାମେଣ୍ଟ ଅଧିବେଶନ କାଳରେ ଏଥିରେ ସଂଶୋଧନ କରାଯାଇ ହାଇକୋର୍ଟର ବିଚାରପତିଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିବା ପାଇଁ ବ୍ୟବସ୍ଥା ହୋଇଛି। ସେହି ଆଧାରରେ ରାଜ୍ୟ ସରକାର ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ଚୂଡାନ୍ତ କରିଛନ୍ତି। ଏହି ବୈଠକରେ ବିଧାନସଭା ବାଚସ୍ପତି, ବିରୋଧୀ ଦଳ ନେତା ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତି ଯୋଗ ଦେଇଥିଲେ।