ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ

ଯୋଡ଼ା, ୨୭।୧୧(ଡି.ଏନଏ) କେନ୍ଦୁଝର ଜିଲା ବାମେବାରୀ-ଯୋଡା ରାଜ୍ୟ ରାଜପଥ ନଂ ୨ ର ସମ୍ପ୍ରସାରଣ ପାଇଁ ଜବର ଦଖଲ ହୋଇଥିବା ଜମି ଗୁଡିକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି ା ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଯୋଡା ପୋଲିସ, ପିଡବ୍ଲ୍ୟୁଡିର ନିର୍ବାହୀ ଯନ୍ତ୍ରୀ ନଗେଶ ମହାନ୍ତ, ଏସଡିଓ ଏସ.କେ. ନାୟକ, କନିଷ୍ଠ ଯନ୍ତ୍ରୀ ରାଜୁ କାଗ୍‌ ଓ ଯୋଡା ରାଜସ୍ବ ନିରୀକ୍ଷକ ଜୟନ୍ତ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ବାଂଶପାଣି ଓ ବାଂଶପାଣି ଅଟାଚକି ଠାରେ ଜବର ଦଖଲ କରି ନିର୍ମାଣ କରାଯାଇଥିବା ଘର, ଦୋକାନ ଘର ଓ କ୍ୟାବିନ୍‌ ଗୁଡିକୁ ମେଶିନ ସାହାଯ୍ୟରେ ଭଙ୍ଗା ଯାଇଥିଲା। ଡିଏମଏଫ ପାଣ୍ଠି ବ୍ୟୟରେ ଉକ୍ତ ରାସ୍ତାର ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ଟେଣ୍ଡର ଜରିଆରେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି ା ଉକ୍ତ ଠିକାସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଅନେକ ସ୍ଥାନରେ ଜବରଦଖଲ ଜମି ଉଚ୍ଛେଦ କରାଯାଉ ନ ଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିଲା। ଏହି ଜମିକୁ ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ ଗତ ଜୁଲାଇ ମାସରେ ଜବରଦଖଲକାରୀ ମାନଙ୍କୁ ନୋଟିସ କରାଯାଇଥିଲା ା ନୋଟିସ ପାଇବାର ୩୦ ଦିନ ମଧ୍ୟରେ ଉକ୍ତ ଜବରଦଖଲ ଜମିରୁ ଅପସରି ଯିବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଥିଲା ା ଅନ୍ୟଥା ଉକ୍ତ ଜମିକୁ ଖାଲି ନ କଲେ ଆଇନ୍‌ ଅନୁଯାୟୀ ଉଚ୍ଛେଦ କରାଯିବା ସହିତ ସେଠାରେ ରହିଥିବା ଜିନିଷପତ୍ରକୁ ବାଜ୍ୟାପ୍ତି କରାଯିବାର ନୋଟିସ ଜାରି କରାଯାଇଥିଲା। ମାତ୍ର ଜବରଦଖଲକାରୀମାନେ ଜମିକୁ ଖାଲି କରି ନ ଥିବାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବଡବିଲ୍‌ ତହସିଲ୍‌ଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି। ଅନ୍ୟପକ୍ଷରେ ପକ୍ଷରେ ପ୍ରଶାସନ ପକ୍ଷରୁ ଉଚିତ ସମୟ ସମୟସୀମା ନଦେଇ ତରବରିଆ ଭାବେ ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରି ଜବରଦଖଲକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ା