ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ: ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ସମ୍ମାନଜନକ ଜୀବନ ବଞ୍ଚିବା ପ୍ରତ୍ୟେକ ଶିଶୁର ମୌଳିକ ଓ ଜନ୍ମଗତ ଅଧିକାର। ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ କେବଳ ସରକାର ନୁହନ୍ତି, ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନେ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ଶୁକ୍ରବାର କିଟ୍‌ କନ୍‌ଭେନ୍‌ଶନ୍‌ ହଲ୍‌ରେ ଆୟୋଜିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସ ଏବଂ ଦ୍ୱିଦିବସୀୟ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶିଶୁମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।
କର୍ମଶାଳାରେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ ହେଉଥିବା ଉଦ୍ୟମର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବିଭାଗ ପକ୍ଷରୁ ଶିଶୁ ଅଧିକାର ସୁରକ୍ଷା ପାଇଁ ଗୃହୀତ ଯୋଜନା ଓ ବ୍ୟବସ୍ଥାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ନିୟମିତ ଭାବେ ପରାମର୍ଶଦାତାଙ୍କ ମାଧ୍ୟମରେ ମାନସିକସ୍ତରରେ ଶିଶୁମାନଙ୍କୁ ସମସ୍ୟାମୁକ୍ତ କରିବାକୁ ବରିଷ୍ଠ ପୋଲିସ ପ୍ରଶାସକ ଅରୁଣ ବୋଥ୍ରା ପରାମର୍ଶ ଦେଇଥିଲେ। ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇ ବିଗତବର୍ଷର କାର୍ଯ୍ୟକ୍ରମ ବିବରଣୀ ଉପସ୍ଥାପନ କରିଥିଲେ। ଗତ ଏକବର୍ଷ ମଧ୍ୟରେ ଆୟୋଗ ୫୦୦ରୁ ଅଧିକ ଶିଶୁ ଅଧିକାର ସମ୍ପୃକ୍ତ ମାମଲାର ଫଇସଲା କରିଥିବାବେଳେ ଜନଶୁଣାଣି ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ ପାରିଛି। ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଙ୍ଗୀତା ବେନିୱାଲ୍‌ ଏବଂ ଆକ୍ସନ୍‌ଏଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ଚାଚ୍ରା ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାୟଗଡ଼ା, ଗଞ୍ଜାମ ଓ କନ୍ଧମାଳ ଜିଲାପାଳଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ ପ୍ରଦର୍ଶନ କରିଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ କଲ୍ୟାଣ ପରିଷଦ ଓ ବାଲ୍ୟବିବାହକୁ ନା କହିଥିବା କିଶୋରୀଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଅଧିକ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ।

Share