Categories: ମେଟ୍ରୋ

ରାଜ୍ୟ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହେବ, କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର ପୂର୍ବାହ୍ନରେ ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଗୃହ, ଗ୍ୟାଲେରୀ ଓ ପରିସର ବୁଲି ଦେଖିଥିଲେ। ଏଥିସହ ସେ ପଦାଧିକାରୀଙ୍କଠାରୁ କ୍ଷୟକ୍ଷତି ତଥ୍ୟ ସଂଗ୍ରହ କରିଥିଲେ। ସଂଗ୍ରହାଳୟ ପରିସରରେ ବ୍ୟାପକ ଗଛ ଭାଙ୍ଗିବା ସହିତ ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଛି। ସଂଗ୍ରହାଳୟର ସମ୍ମିଳନୀ ପ୍ରକୋଷ୍ଠ ଭାଙ୍ଗିଯାଇଛି। ମୁଦ୍ରା ବିଭାଗ ଗ୍ୟାଲେରୀର ଛାତ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଲାଗିଥିବା ୧୨୦ଟି ବାତାନୁକୂଳ ଯନ୍ତ୍ରରୁ ପ୍ରାୟ ୩୦ଟି ନଷ୍ଟ ହୋଇଯାଇଛି। ତୁରନ୍ତ ପୁନଃନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ ସରବରାହ ତଥା ପାନୀୟ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂଗ୍ରହାଳୟର ପ୍ରାୟ ୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ା ତେବେ ମରାମତି କାର୍ଯ୍ୟ ଓ କ୍ଷତିଗ୍ରସ୍ତ ବାତାନୁକୂଳ ଯନ୍ତ୍ରଗୁଡ଼ିକୁ ସଚଳ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ବନ୍ଦ ରଖିବାକୁ ମନ୍ତ୍ରୀ କହିଛନ୍ତି। ସେଥିପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମନ୍ତ୍ରୀଙ୍କ ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ଅନ୍ୟାନ୍ୟ ପଦାଧିକାରୀ, ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥଙ୍କ ସମେତ କର୍ମଚାରୀ ଏବଂ କ୍ୟୁରେଟରମାନେ ଉପସ୍ଥିତ ଥିଲେ।

Share