Categories: ଜାତୀୟ

ରାଜ୍ୟ ସଭାରେ ଏସ୍‌ପିଜି ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୪ା୧୨(ପି.ଟି.): ଏସ୍‌ପିଜି ସଂଶୋଧନ ବିଲ୍‌ ମଙ୍ଗଳବାର ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳଗୁଡିକ କରିଥିବା ଅଭିଯୋଗକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପ୍ରତ୍ୟାଖ୍ୟାନ କରିଥିଲେ। କେବଳ ଗାନ୍ଧୀ ପରିବାର ନୁହେଁ, ସମସ୍ତ ୧୩୦ କୋଟି ଭାରତୀୟଙ୍କ ସୁରକ୍ଷା ପାଇଁ ସରକାର ଚିନ୍ତିତ ବୋଲି ଶାହା କହିଥିଲେ। ସରକାର ଉଦ୍ଦେଶ୍ୟମୂଳକ ଭାବେ କୌଣସି ପଦକ୍ଷେପ ନେଉନାହାନ୍ତି। ଅତୀତରେ କଂଗ୍ରେସ ଏଭଳି କେତେକ ନିଷ୍ପତ୍ତି ନେଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ, ଆଇ.କେ. ଗୁଜରାଲ, ଚନ୍ଦ୍ରଶେଖର, ଏଚ୍‌.ଡି. ଦେବେଗୌଡା ଏବଂ ମନମୋହନ ସିଂଙ୍କ ସୁରକ୍ଷାର ସମୀକ୍ଷା ବେଳେ କୌଣସି ଆଲୋଚନା ହୋଇ ନ ଥିଲା। ସୁରକ୍ଷା କାହାର ବ୍ୟକ୍ତିଗତ ପ୍ରତିଷ୍ଠାର ପ୍ରତୀକ ଭାବେ ଦେଖାଯିବା ଉଚିତ ନୁହେଁ ବୋଲି ଶାହା କହିଥିଲେ। ଏସ୍‌ପିଜି ଆଇନରେ ସଂଶୋଧନକୁ ବିରୋଧ କରି କଂଗ୍ରେସ କକ୍ଷତ୍ୟାଗ କରିଥିଲା।

ବିଧେୟକକୁ ବିଜେଡିର ସମର୍ଥନ
ଏସ୍‌ପିଜି ସଂଶୋଧନ ବିଲ୍‌କୁ ବିଜେଡି ସମର୍ଥନ ଜଣାଇଛି। ଗାନ୍ଧୀ ପରିବାରରୁ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ନେଇ କଂଗ୍ରେସ ଜୋରଦାର ବିରୋଧ ପ୍ରଦର୍ଶନ କରୁଛି। ତେବେ ଏହି ପରିବାରକୁ ଏସ୍‌ପିଜି ସୁରକ୍ଷା ମିଳିବାର କୌଣସି ଯଥାର୍ଥତା ସେ ଦେଖୁନାହାନ୍ତି ବୋଲି ରାଜ୍ୟ ସଭାରେ ଏ ସମ୍ପର୍କିତ ଆଲୋଚନାରେ ଭାଗନେଇ ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ରାଜ୍ୟ ସଭାରେ ଗୃହୀତ ହୋଇଥିବା ବିଲ୍‌ ଅନୁଯାୟୀ କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହ ସରକାରୀ ବାସଭବନରେ ରହୁଥିବା ପରିବାରକୁ ଏସ୍‌ପିଜି ସୁରକ୍ଷା ମିଳିବ। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟଙ୍କୁ କ୍ଷମତାରୁ ଯିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ଯୋଗାଇ ଦିଆଯିବ।

ଗୃହରେ ପିଆଜ ଝଡ଼
ପିଆଜର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ମଙ୍ଗଳବାର ରାଜ୍ୟ ସଭାରେ ତୁମ୍ବିତୋଫାନ ହୋଇଛି। ପିଆଜ ଦର ହୁହୁ ହୋଇ ବଢ଼ୁଥିବାବେଳେ ସରକାର ନୀରବଦ୍ରଷ୍ଟା ସାଜିଥିବାରୁ ମହଜୁଦକାରୀ ପରିସ୍ଥିତିର ଫାଇଦା ଉଠାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ୧୨୦ ଟଙ୍କା ଛୁଇଁଲାଣି ବୋଲି ଶୂନ୍ୟକାଳରେ ସିପିଏମ୍‌ ସଦସ୍ୟ କେ.କେ. ରାଗେଶ କହିଥିଲେ। ଗୋଦାମରେ ୩୨ ହଜାର ଟନ୍‌ ପିଆଜ ପଚିଗଲା। ଏହାକୁ ବଜାରକୁ ଛଡ଼ାଯାଇଥିଲେ ଦରକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା ବୋଲି ସେ କହିଥିଲେ। ପ୍ରତିବର୍ଷ ଅକ୍ଟୋବର-ନଭେମ୍ବରରେ ପିଆଜ ଦର ବଢ଼ୁଥିବା ଜାଣି ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ସିପିଏମ୍‌ ଏମ୍‌ପି କହିଥିଲେ।

Share