Categories: ଜାତୀୟ

ରାଜ୍ୟ ସଭାରେ ଭାଜପା ସ୍ଥିତି କଂଗ୍ରେସର ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୧ା୬: ରାଜ୍ୟ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଆସନ ବ୍ୟବଧାନ ବୃଦ୍ଧି ପାଇଛି। ଭାଜପାର ସଦସ୍ୟ ସଂଖ୍ୟା ୮୬କୁ ବୃଦ୍ଧି ପାଇଥିବାବେଳେ ବିରୋଧୀ କଂଗ୍ରେସ ୪୧ରେ ସୀମିତ ରହିଛି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ଏନ୍‌ଡିଏ ସଦସ୍ୟ ସଂଖ୍ୟା ୧୦୦ ନିକଟବର୍ତ୍ତୀ ହୋଇଛି। ସହଯୋଗୀ ଦଳ ଏଆଇଏଡିଏମ୍‌କେର ୯ ଆସନ ରହିଥିବାବେଳେ ବିଜେଡିର ୯, ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟିର ୬ ଆସନ ରହିଛି। ଏଥିସହିତ ଅନ୍ୟ କେତେକ ଛୋଟ ଦଳ ଓ ମନୋନୀତ ସଦସ୍ୟଙ୍କ ସମର୍ଥନ ମିଳିଲେ ନରେନ୍ଦ୍ର ମୋଦି ସରକାର ଗୃହରେ ସଂଖ୍ୟାଜନିତ ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ନ ପାରେ ବୋଲି କୁହାଯାଉଛି।
ପୂର୍ବରୁ ୪୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ଶୁକ୍ରବାର ୧୯ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ଭାଜପା ୮ ଆସନ ହାତେଇଥିବାବେଳେ କଂଗ୍ରେସ ଓ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ୪ଟି ଲେଖାଏ ଏବଂ ଅନ୍ୟ ଦଳ ୩ଟି ଆସନରେ ବିଜୟୀ ହୋଇଛନ୍ତି। ମୋଟ ଉପରେ ଭାଜପା ୧୭ ଆସନ ଜିତିଥିବାବେଳେ କଂଗ୍ରେସ ୯, ଭାଜପା ସହଯୋଗୀ ଜେଡିୟୁ ୩, ବିଜେଡି ଏବଂ ଟିଏମ୍‌ସି ୪ଟି ଲେଖାଏ, ଏଆଇଏଡିଏମ୍‌କେ ଏବଂ ଡିଏମ୍‌କେ ୩ଟି ଲେଖାଏ, ଏନ୍‌ସିପି, ଆର୍‌ଜେଡି ଏବଂ ଟିଆର୍‌ଏସ୍‌ ୨ଟି ଲେଖାଏ ଆସନ ଜିତିଥିବାବେଳେ ଅନ୍ୟ ଆସନଗୁଡ଼ିକରେ ଛୋଟ ଦଳ ବିଜୟୀ ହୋଇଛନ୍ତି। ନବନିବର୍ର୍ାଚିତ ୬୧ ସଦସ୍ୟଙ୍କ ମଧ୍ୟରୁ ୪୩ ନୂଆ ମୁହଁ, ସେମାନଙ୍କ ମଧ୍ୟରେ ଭାଜପାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କଂଗ୍ରେସରୁ ମଲ୍ଲିକାର୍ଜୁନ ଖାର୍ଗେ ଅଛନ୍ତି।

Share