ରାଜ୍ୟ ସଭାର ୩ ଆସନରେ ଉପନିର୍ବାଚନ ପ୍ରସଙ୍ଗ: ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଓଡ଼ିଶାର ୩ ରାଜ୍ୟ ସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମଙ୍ଗଳବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ଆରମ୍ଭ ହେବ। ୨୫ତାରିଖ ନାମାଙ୍କନପତ୍ର ଦାଖଲର ଶେଷଦିନ। ଜୁଲାଇ ୫ତାରିଖରେ ଆବଶ୍ୟକ ପଡ଼ିଲେ ଉପନିର୍ବାଚନ ଏବଂ ସେହିଦିନ ହିଁ ଭୋଟ ଗଣତି। ଜୁଲାଇ ୯ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରାଜ୍ୟ ସଭା ଉପନିର୍ବାଚନ ପାଇଁ ରିଟର୍ନିଂ ଅଫିସର ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ସଚିବ ଭାବେ କାର୍ଯ୍ୟ କରୁଥିବା ବିଷ୍ଣୁପ୍ରସାଦ ମିଶ୍ର ରିଟର୍ନିଂ ଅଫିସର ହୋଇଛନ୍ତି। ଅନ୍ୟପଟେ ଶିଶିରକାନ୍ତ ସ୍ବାଇଁ ଉପନିର୍ବାଚନର ସହକାରୀ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏବେ ବିଧାନସଭା ଯୁଗ୍ମ ସଚିବ ଅଛନ୍ତି। ରାଜ୍ୟ ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ଏକ ପ୍ରକାର ନିଶ୍ଚିତ। ହେଲେ ଏ ପର୍ଯ୍ୟନ୍ତ ବିଜେଡି କେଉଁ ୩ ଚେହେରାଙ୍କୁ ରାଜ୍ୟ ସଭା ପଠାଇବ ସେ ନେଇ ସ୍ପଷ୍ଟ କରିନାହିଁ। ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳ ମୁଖିଆଙ୍କ ପାଇଁ ପ୍ରାର୍ଥୀ ଚୟନ କାଠିକର ପାଠ ହେଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Share