Categories: ଜାତୀୟ

ରାଜ୍ୟ ସଭା ସାଇନ-ଏ-ଡାଏ

ନୂଆଦିଲ୍ଲୀ,୮ା୮(ପି.ଟି.): ରାଜ୍ୟ ସଭାକୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁନ୍‌ ୨୦ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର ଥିଲା। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହେବାକୁ ଥିବାରୁ ସରକାର ଏହାର କାର୍ଯ୍ୟକାଳକୁ ଅଗଷ୍ଟ ୭ ପର୍ଯ୍ୟନ୍ତ ବଢ଼ାଇଥିଲେ। ରାଜ୍ୟ ସଭାର ଏହି ୨୪୯ତମ ଅଧିବେଶନ ଗତ ୧୭ ବର୍ଷ ମଧ୍ୟରେ ସବୁଠୁ ଫଳପ୍ରଦ ଥିଲା ବୋଲି ଏହାର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଅଧିବେଶନର ୩୫ କାର୍ଯ୍ୟଦିବସରେ ୩୨ଟି ବିଲ୍‌ ଗୃହୀତ ହୋଇଛି। ଉପରାଷ୍ଟ୍ରପତି ଯାହା ଆଶା କରିଥିଲେ ତାହା ପୂରଣ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ଅତୀତର ଅଚଳାବସ୍ଥା ଦୂରହୋଇ ଗୃହକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରିଥିବା ଭେଙ୍କାୟା କହିଥିଲେ। ଗତ ୧୭ ବର୍ଷର ୫୨ଟି ଅଧିବେଶନ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ କହିଥିଲେ।
ଏହି ଅଧିବେଶନରେ ତିନି ତଲାକ୍‌ ବିଲ୍‌, ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇଛି ବୋଲି ରାଜ୍ୟ ସଭାକୁ ସାଇନ୍‌-ଏ-ଡାଏ ଘୋଷଣା କରିବା ପୂର୍ବରୁ ଭେଙ୍କାୟା କହିଥିଲେ। ତଥ୍ୟ ଅନୁଯାୟୀ ୧୯୮୪ର ୧୩୧ତମ ଅଧିବେଶନ ସବୁଠୁ ଫଳପ୍ରଦ ଥିଲା, ଯେଉଁଥିରେ ୩୭ଟି ବିଲ୍‌ ଗୃହୀତ ହୋଇଥିଲା। ୨୦୦୨ରେ ୧୯୭ତମ ଅଧିବେଶନରେ ୩୫ ବିଲ୍‌ ଅନୁମୋଦିତ ହୋଇଥିଲା। ତେଣୁ ଗତ ୪୧ ବର୍ଷ ମଧ୍ୟରେ ଏହା ୫ମ ସର୍ବାଧିକ ଫଳପ୍ରଦ ଅଧିବେଶନ। ଏଥର ରାଜ୍ୟ ସଭାର ଫଳପ୍ରଦ ହାର ଥିଲା ୧୦୪.୯୨ ପ୍ରତିଶତ। ଗତ ୫ଟି ଅଧିବେଶନରେ ଗୃହର ଫଳପ୍ରଦତା ୭.୪୪ରୁ ୬୫.୬୦ ପ୍ରତିଶତ ରହିଥିଲା। ତେବେ ଏଥର ଗୃହ କାର୍ଯ୍ୟ ମୋଟ ୧୯ ଘଣ୍ଟା ୧୨ ମିନିଟ ବାଧାପ୍ରାପ୍ତ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ଅଧିକ ଦିନ ଅଧିବେଶନ ଚାଲିବାରୁ ଗୃହକୁ ଅଧିକ ୨୮ ଘଣ୍ଟା ମିଳିଥିଲା। ବିଭିନ୍ନ ବିଲ୍‌ ଗୃହୀତ କରାଇବାରେ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ଆପୋସ ବୁଝାମଣାକୁ ଭେଙ୍କାୟା ପ୍ରଶଂସା କରିଥିଲେ। ଏଭଳି ଧାରା ବଜାୟ ରଖିବା ଲାଗି ସେ ସଦସ୍ୟମାନଙ୍କୁ ଅପିଲ୍‌ କରିଥିଲେ। ଏହି ଅଧିବେଶନରେ ରାଜ୍ୟ ସଭା ସଦସ୍ୟମାନଙ୍କୁ ସେମାନଙ୍କ ମାତୃଭାଷାରେ କହିବା ସୁଯୋଗ ମିଳିଛି। ଏହା ଅତ୍ୟନ୍ତ ଖୁସିର କଥା। ଆଗାମୀ ଦିନରେ ଅନୁବାଦ ବ୍ୟବସ୍ଥା ଆହୁରି ଉନ୍ନତ ହେବ, ଯାହା ଫଳରେ ସବୁ ସଦସ୍ୟ ବୁଝିବାରେ ସମର୍ଥ ହୋଇପାରିବେ ବୋଲି ଭେଙ୍କାୟା କହିଥିଲେ।

Share