ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଶ୍ରମ ମନ୍ତ୍ରଣାଳୟ

ଭୁବନେଶ୍ୱର,୨୪।୩:(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ବହୁ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତାହାର ପ୍ରଭାବରେ ବଡ଼ବଡ଼ କମ୍ପାନୀଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଏଭଳିସ୍ଥିତିରେ ବହୁ ଘରୋଇ କମ୍ପାନୀ ନିଜ ଶ୍ରମିକ, କର୍ମଚାରୀମାନଙ୍କ ଦୈନିକ ମଜୁରି କାଟ୍‌ କରିବାକୁ କହୁଥିବାବେଳେ ବହୁଜଣଙ୍କୁ ଛଟେଇ କରାଯାଉଥିବା ଅଭିଯୋଗ ଆସୁଛି। ତେଣୁ ଛଟେଇ କିମ୍ବା ଦରମା କାଟ କଟକଣା ଜାରି କରିବାକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସଚିବ ହୀରାଲାଲ ସାମାରିଆ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି ଯେ, ସରକାରୀ ଓ ଘରୋଇ ପ୍ରତିଷ୍ଠାନଗୁଡ଼ିକ ଅସ୍ଥାୟୀ କିମ୍ବା ଠିକା କର୍ମଚାରୀଙ୍କୁ ଯେଭଳି ଚାକିରିରୁ ଛଟେଇ ଓ ଦରମା କାଟ ନ କରିବେ ସେଥିପ୍ରତି ଧ୍ୟାନ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ।

Share