ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ: ୩ ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ୍‌ ଡକ୍ୟୁମେଣ୍ଟ ୩ ମାସ କୋହଳ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଶନିବାର ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ଏକାଧିକ ପ୍ର୍ରଶ୍ନ କରିଛନ୍ତି। ଏହି ସମୟ ମଧ୍ୟରେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ। କାଗଜପତ୍ର ନ ଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କିଏ କ୍ଷତିପୂରଣ ଦେବ ବୋଲି କମିଶନ କହିଛନ୍ତି। କେବଳ ସେତିକି ନୁହେଁ ଲାଇସେନ୍ସ ଓ ବୀମା ନ ଥିବା ବ୍ୟକ୍ତି ୩ ମାସ ଗାଡ଼ି ଚଳାଇପାରିବେ କି ବୋଲି କମିଶନ ପ୍ରଶ୍ନ କରିଛନ୍ତି। ଏଥିସହ ସ୍କୁଲପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକର ନିୟମିତ ଚେକିଂ କରାଯାଉଛି କି ନାହିଁ ବୋଲି କମିଶନ ପ୍ରଶ୍ନ କରିଛନ୍ତି।

ପ୍ରକାଶଯୋଗ୍ୟ, ନୂଆ ନିୟମ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱର, କଟକ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖିଲାପକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା। ହେଲେ କିଛି ଦିନ ପରେ ଏହାକୁ ପ୍ରତିବାଦ କରାଯାଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ୩ ମାସ ପର୍ଯ୍ୟନ୍ତ ନିୟମକୁ କଡ଼ାକଡ଼ି ପାଳନ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନ କରିବାକୁ କହିଥିଲେ।

Share