ରାଜ୍ୟ ସରକାରଙ୍କୁ ବିଜୟଙ୍କ କଟାକ୍ଷ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଏକ ଦିଗହରା ନିଷ୍ପତ୍ତି, ରଣକ୍ଷେତ୍ର ପାଲଟିଲାଣି ଶ୍ରୀକ୍ଷେତ୍ର

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ କରାଯାଉଥିବା ଉଚ୍ଛେଦକୁ ନେଇ ବିଷଦ୍‌ଗାର କରିଛନ୍ତି ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର। ବୁଧବାର ଏନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ରାଜ୍ୟ ସରକାରଙ୍କ ଏକ ଦିଗହରା ନିଷ୍ପତ୍ତି। ଗତ ୭ ଦିନ ମଧ୍ୟରେ ଶ୍ରୀକ୍ଷେତ୍ର କୁରୁକ୍ଷେତ୍ର ପାଲଟିଲାଣି। ଏଭଳି କରିବାର ସରକାରଙ୍କ ସାମ୍ବିଧାନିକ ଏବଂ ମୌଳିକ ଅଧିକାର ନାହିଁ। ଯଦି ସରକାର ବିପି ଦାସ କମିଶନଙ୍କ ସୁପାରିଶରେ ଏହା କରୁଥିବେ ତେବେ ତାହା ବେଆଇନ। କାରଣ ବିପି ଦାସ କମିଶନ ଆନ୍ତରିଣ ରିପୋର୍ଟ ଦେଇଛନ୍ତି। ଏହା ଚୂଡ଼ାନ୍ତ ନୁହେଁ। କାରଣ ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଗଲା। କମିଶନଙ୍କ ରିପୋର୍ଟ ମଧ୍ୟ ବିଧାନସଭାରେ ଉପସ୍ଥାପନ ହୋଇନାହିଁ। ଏହାସତ୍ତ୍ୱେ ଉଚ୍ଛେଦ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ବୋଲି ବିଜୟ କହିଛନ୍ତି।
ସେହିଭଳି ବର୍ଷାଦିନେ ବଡ଼ଦାଣ୍ଡ ପାଣିରେ ଭାସୁଥିବା ଦେଇ ସେ କହିଛନ୍ତି, ନବକଳେବର ବେଳେ ସରକାର ୫ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହାର ଫଳ କ’ଣ ହେଲା। ଯଦି ବାସ୍ତବରେ ଏତିକି ଟଙ୍କା ଖର୍ଚ୍ଚ ହୋଇଥାନ୍ତା ତେବେ ବଡ଼ଦାଣ୍ଡ ଭାସୁ ନ ଥାନ୍ତା। ଯେଉଁଠି ମୋଟା ଅନୁଦାନ ଥାଏ, ସେଠାରେ ଲୁଟ ପାଇଁ ବାଟ ଖୋଲିଯାଏ। ଲୋକଙ୍କୁ ତ୍ୟାଗ କରିବାକୁ କହି ସବୁ ଲୁଟିବେ, ତାହା ଚଳିବ ନାହିଁ ବୋଲି ବିଜୟ କଟାକ୍ଷ କରି କହିଛନ୍ତି।