ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ନେଇ ପ୍ରତାପ-ପ୍ରମିଳା ମୁହାଁମୁହିଁ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି। ପ୍ରତାପ ଗୁରୁବାର ରାଜ୍ୟ ସରକାରଙ୍କ ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟକ୍ରମକୁ ସମାଲୋଚନା କରିବାକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି। ପୁଣି ଏବେ ଭାଜପା-ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

୫ମ ପାଳି କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ମୋ’ ସରକାରର ନାରା ଦେଇଛନ୍ତି। ଏହାକୁ ବିରୋଧି ଦଳ ପକ୍ଷରୁ ସମାଲୋଚନା କରାଯାଉଥିବା ବେଳେ ପ୍ରତାପ କହିଛନ୍ତି, କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ କିଣାଯାଉଛି। ୫-ଟି ହେଉଛି ସଚିବ ଆଧାରିତ ସରକାର। ଏଥିରେ ସମନ୍ବୟ, ସ୍ବଚ୍ଛତା କିମ୍ବା କୌଣସି ‘ଟି’ ନାହିଁ। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା। ମୋ’ ସରକାର କଥା ନୁହେଁ ଲୋକଙ୍କର ହିଁ ସରକାର ନାହିଁ। ଭୋଟ କିଣିବାର ଯନ୍ତ୍ର ତିଆରି କରାଯାଉଛି। ଏବେ ରାଜ୍ୟର ଆର୍ଥିକ ସ୍ଥିତି ବିପଜ୍ଜନକ ବୋଲି ସେ କହିଥିଲେ। ଏହାର କଡ଼ା ଜବାବ ରଖିଛନ୍ତି ପ୍ରମିଳା। ସେ କହିଛନ୍ତି, ସରକାର ଯେଉଁ କାମ କରାନ୍ତି ସଚିବଙ୍କ ମାଧ୍ୟମରେ କରାନ୍ତି। ତେଣୁ ସଚିବଙ୍କ ମାଧ୍ୟମରେ ଆହୁରି ଭଲ କାମ କରାଇବା ପାଇଁ ବିଭିନ୍ନ ଜିଲାକୁ ସଚିବମାନଙ୍କୁ ପଠାଯାଉଛି। କେନ୍ଦ୍ରମନ୍ତ୍ରୀ ନିଜେ ଓଡ଼ିଶାର ଲୋକ। ଯଦି ସେ ଓଡ଼ିଶା କଥା ଏତେ ଭାବୁଛନ୍ତି ତେବେ କେନ୍ଦ୍ର ସରକାରଙ୍କ ପାଖରେ ସେ ତାଙ୍କର ଦାବି ଉପସ୍ଥାପନ କରନ୍ତୁ, ଓଡ଼ିଶାରେ ଏକଥା ନାହିଁ ବୋଲି। କେନ୍ଦ୍ର ସରକାରଙ୍କ ପାଖରେ ଦାବି କରି ଓଡ଼ିଶାକୁ କିଛି ଆଣନ୍ତୁ। ଓଡ଼ିଶା ସରକାର ଯାହା କରୁଛନ୍ତି ତାହାକୁ ସହଯୋଗ କରିବା ପରିବର୍ତ୍ତେ ସମାଲୋଚନା କାହିଁକି କରୁଛନ୍ତି ବୋଲି ପ୍ରମିଳା ପାଲଟା ପ୍ରଶ୍ନ କରିଛନ୍ତି।

Share