ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଚିନ୍ତା: ରାଜଧାନୀ ପାଇଁ ସ୍ବତନ୍ତ୍ର ପ୍ଲାନ୍‌, ୭ ଦିନରେ ୫୦୦୦ ନମୁନା ପରୀକ୍ଷଣ ଲକ୍ଷ୍ୟ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଓଡ଼ିଶାରେ ୭,୫୭୭ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ୬୦ଜଣ ପଜିଟିଭ୍‌ ବାହାରିଛନ୍ତି। ହେଲେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍‌ ମାମଲା ରହିଛି। ଏଥିରୁ ଭୁବନେଶ୍ୱର ହଟ୍‌ସ୍ପଟ୍‌ ବୋଲି ସ୍ପଷ୍ଟ ହୋଇଛି। ଖୋର୍ଦ୍ଧାକୁ ଛାଡ଼ି ବାକି ୮ଟି ଜିଲାରେ କୋଭିଡ ମାମଲା ବୃଦ୍ଧି ପାଉନାହିଁ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାଇଁ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ରାଜଧାନୀରେ ସବୁଠାରୁ ଅଧିକ ନମୁନା ପରୀକ୍ଷଣ ହେବାର ଲକ୍ଷ୍ୟ ରଖାଯାଇଛି। ଭାରତର ଅନ୍ୟ ସହରଠାରୁ ଏଠାରେ ଅଧିକ ଟେଷ୍ଟ ହେବ। ଆଗାମୀ ସାତ ଦିନ ମଧ୍ୟରେ ଭୁବନେଶ୍ୱର ୫୦୦୦ ନମୁନା ପରୀକ୍ଷଣ କରାଯିବ। ରାଜଧାନୀକୁ ନିରାପଦ କରିବା ଲାଗି ଏହା କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଆବଶ୍ୟକ ପରୀକ୍ଷଣ ଲ୍ୟାବ୍‌ର ସଂଖ୍ୟା ବୃଦ୍ଧି କରାଯିବ। ସ୍ଥାୟୀ କ୍ୟାମ୍ପ କରାଯିବା ସହ ଭ୍ରାମ୍ୟମାଣ ମୋବାଇଲ୍‌ ଭ୍ୟାନ୍‌ କ୍ୟାମ୍ପ ମଧ୍ୟ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୧୯୫୮ଟି ଟେଷ୍ଟ କରାଯାଇଛି। ଏହା ସମଗ୍ର ରାଜ୍ୟର ୩୮%। ଆଗାମୀ ଦିନରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ। ଫଳରେ କରୋନା ଚିହ୍ନଟଙ୍କ ଚିତ୍ର ସ୍ପଷ୍ଟ ହେବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି।

Share