ରାଜ୍ୟ ସରକାରଙ୍କ ଘୋଷଣାକୁ ଗଜପତି ମହାରାଜାଙ୍କ ସ୍ବାଗତ: ଐତିହ୍ୟ, ପରମ୍ପରାକୁ ଦୃଷ୍ଟିରେ ରଖାଯାଉ

ପୁରୀ ଅଫିସ, ୨୫।୮: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ସ୍ବାଗତ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତେବେ ଐତିହ୍ୟ ଓ ପରମ୍ପରାକୁ ପ୍ରଥମେ ଦୃଷ୍ଟିରେ ରଖାଯାଉ ବୋଲି ସେ ମତ ଦେଇଛନ୍ତି। ଶନିବାର ଶ୍ରୀନଅର ପକ୍ଷରୁ ଜାରି ପ୍ରେସ୍‌ ବାର୍ତ୍ତା ମାଧ୍ୟମରେ ଗଜପତି ମହାରାଜା କହିଛନ୍ତି, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ହେଉଛି ହିନ୍ଦୁ ସମାଜର ଶ୍ରେଷ୍ଠ ଆରାଧ୍ୟ ପୀଠ। ଏହାର ଯୋଜନାବଦ୍ଧ ଓ ସମନ୍ବିତ ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ ଯେଉଁ ଘୋଷଣା କରିଛନ୍ତି ଏହାକୁ ମୁଁ ସ୍ବାଗତ କରୁଛି। ଶ୍ରୀକ୍ଷେତ୍ରର ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମ ଏହି କ୍ଷେତ୍ରର ମହାନ ଆଧ୍ୟାତ୍ମିକ, ଧାର୍ମିକ ତଥା ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖି କରାଯିବା ଆବଶ୍ୟକ । ଏହି ମହତ୍‌ କାର୍ଯ୍ୟକ୍ରମରେ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଜନଙ୍କୁ ଆନ୍ତରିକତାର ସହିତ ସହଯୋଗ କରିବା ନିମନ୍ତେ ନିବେଦନ କରୁଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅପାର କୃପାରୁ ଏହି ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଫଳ ରୂପାୟନ ଲାଭ କରୁ ବୋଲି ଗଜପତି ମହାରାଜା କହିଛନ୍ତି।