ରାଜ୍ୟ ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତ୍ତା(ଡିଏ) ମିଳିବା ନେଇ ଘୋଷଣା କରାଯାଇଛି। ଏହା ଚଳିତବର୍ଷ ଜାନୁୟାରୀ ପହିଲାରୁ ପିଛିଲାଭାବେ ଲାଗୁ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଏଥି ସହିତ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି ଘୋଷଣାର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପୂର୍ବ ବକେୟା ଦରମାରୁ ୧୦ ପ୍ରତିଶତ ଦେବାକୁ ଘୋଷଣା କରିସାରିଛନ୍ତି। ଅର୍ଥାତ୍‌ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ୧୦ ପ୍ରତିଶତ ବକେୟା ରାଶି ସହ ୫ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ।
ଏହାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଲରେ ସ୍ବାଗତ କରାଯାଇଛି। ହେଲେ ଅଧିକାଂଶ କର୍ମଚାରୀ ବଳକା ୫୦ ପ୍ରତିଶତ ବକେୟା ଦରମା ଏବଂ ଗତବର୍ଷ ଜୁଲାଇରୁ ମହଙ୍ଗା ଭତ୍ତା ମିଳୁ ବୋଲି ମତ ରଖିଛନ୍ତି। ରାଜ୍ୟ ସରକାରୀ କର୍ମଚାରୀ ବର୍ତ୍ତମାନ ୧୨ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ଏବେ ଘୋଷିତ ୫ ପ୍ରତିଶତ ମିଶାଇଲେ ଏହା ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ହେଲେ ଗତବର୍ଷ ଜୁଲାଇ ପହିଲାରୁ ଏହି ମହଙ୍ଗା ଭତ୍ତା ପାଇବା କଥା। ତେଣୁ ଏହି ୬ ମାସର ଡିଏ କେବେ ମିଳିବ ବୋଲି କର୍ମଚାରୀ ଏବଂ ପେନସନ୍‌ଭୋଗୀ ମହଲରେ ଆଲୋଚନା ହେଉଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଗତ ଜୁଲାଇରୁ ଏହି ୫ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇ ଆସୁଛନ୍ତି। ରାଜ୍ୟରେ ଏହି ସମସ୍ୟାର ସମାଧାନ ପାଇଁ କେତେକ କର୍ମଚାରୀ ଗଠନଧର୍ମୀ ପ୍ରସ୍ତାବ ମଧ୍ୟ ରଖିଛନ୍ତି। ଅବଶିଷ୍ଟ ୫୦ ପ୍ରତିଶତ ବକେୟା ଦରମା ଏବଂ ବକେୟା ୬ ବର୍ଷର ମହଙ୍ଗା ଭତ୍ତାର ଅର୍ଥରାଶି କର୍ମଚାରୀମାନଙ୍କ ଜିପିଏଫ୍‌ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ପ୍ରସ୍ତାବ ରଖିଛନ୍ତି। ଏହାଦ୍ୱାରା କର୍ମଚାରୀମାନେ ନଗଦ ଅର୍ଥ ନ ପାଇଲେ ମଧ୍ୟ , ଏହି ଜମା ଅର୍ଥ ରାଶି ଉପରେ ସୁଧ ପାଇ ପାରିବେ ବୋଲି କେତେକ ମତ ରଖିଛନ୍ତି। ସରକାର ଯଦି ଏସବୁ ବିଚାର କରି ଉଚିତ ପଦକ୍ଷେପ ନିଅନ୍ତି, ତେବେ ରାଜ୍ୟର ପ୍ରାୟ ୪.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନ୍‌ସନ ଭୋଗୀ ଉପକୃତ ହୋଇପାରିବେ। ଏଥିପାଇଁ ବାର୍ଷିକ ୬୦୦ କୋଟି ଟଙ୍କାର ଅନୁଦାନ ଆବଶ୍ୟକ ହେବ ବୋଲି ପୂର୍ବାନୁମାନ କରାଯାଇଛି।

Share