ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ଏନ୍‌ଆର୍‌ସିକୁ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ଖବରଦାତାଙ୍କୁ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ହେଲେ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନୁହେଁ। ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଏହାର ପ୍ରଭାବ ଭାରତୀୟ ଜନସାଧାରଣଙ୍କ ଉପରେ ପଡ଼ିବ ନାହିଁ। ଦଳ ପକ୍ଷରୁ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଏନ୍‌ଆର୍‌ସି ନେଇ ସ୍ପଷ୍ଟ କରାଯାଇଛି। ଏନ୍‌ଆର୍‌ସିକୁ ଦଳ ସମର୍ଥନ କରୁନାହିଁ। ଏଣୁ ଗୁଜବ ଉପରେ ବିଶ୍ୱାସ ନ କରି ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି।

ପ୍ରକାଶଯୋଗ୍ୟ, ବିଭିନ୍ନ ରାଜ୍ୟରେ ସିଏଏକୁ ବିରୋଧ ଜାରି ରହିଥିବା ବେଳେ ଓଡ଼ିଶା ସରକାର ଏହାକୁ ସମର୍ଥନ ଜଣାଇଛନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ସଂଖ୍ୟାଲଘୁ ସଂଗଠନ ବିରୋଧ ଆରମ୍ଭ କରିଛନ୍ତି। ମଙ୍ଗଳବାର ସମ୍ପ୍ରଦାୟର ଶହ ଶହ ଲୋକ ରାଜଧାନୀ ସତ୍ୟନଗର ମସ୍‌ଜିଦ୍‌ କଲୋନୀରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ସେମାନେ ଧାରଣା ଦେବା ସହ ଓଡ଼ିଶାରେ ସିଏଏ ଓ ଏନ୍‌ଆର୍‌ସି ଆଇନ ଲାଗୁ ନ କରିବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Share