Categories: ଖେଳ

ରାଜ୍ୟ ସିନିୟର ମହିଳା ହକି ଚାମ୍ପିୟନଶିପ ଉଦ୍‌ଯାପିତ:ଖୋର୍ଦ୍ଧା-ପାନପୋଷ କ୍ରୀଡ଼ା ଛାତ୍ରାବାସ ଯୁଗ୍ମ ଚାମ୍ପିୟନ

ରାଉରକେଲା ଅଫିସ,୧୩।୮-
ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ସିନିୟର ମହିଳା ହକି ଚାମ୍ପିୟନଶିପ ସୋମବାର ଉଦ୍‌ଯାପିତ ହୋଇଛି। ପୂର୍ବାହ୍ନରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଓଡ଼ିଶା ପୋଲିସ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌କୁ ପାନପୋଷ କ୍ରୀଡ଼ା ଛାତ୍ରାବାସ ୭-୧ ଗୋଲରେ ଜିତିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିଲା। ସଂର୍ଘଷପୂର୍ଣ୍ଣ ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍‌ ଦେଇପାରି ନ ଥିଲେ। ଶେଷରେ ପେନାଲଟି ଶୁଟ୍‌ଆଉଟରେ ୩-୧ ଗୋଲରେ ବିଜୟୀ ହୋଇ ଖୋର୍ଦ୍ଧା ଫାଇନାଲକୁ ଉନ୍ନୀତ ହୋଇଥିଲା। ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଖୋର୍ଦ୍ଧା ମଧ୍ୟରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ତେବେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଖେଳ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ନିୟମାନୁଯାୟୀ ଉଭୟ ଦଳକୁ ଯୁଗ୍ମ ଚାମ୍ପିୟନ ଘୋଷଣା କରାଯାଇଥିଲା। ଅନ୍ତର୍ଜାତୀୟ ହକି ଅମ୍ପାୟାର ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଓ ନିଶାନଜ୍ୟୋତି ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲେ। କ୍ରୀଡ଼ା ଛାତ୍ରାବାସର ବରିଷ୍ଠ କୋଚ୍‌ ଅମୂଲ୍ୟ ନନ୍ଦ ବିହାରୀ, କୋଚ୍‌ ଅମୂଲ୍ୟ ବେହେରା, କୋଚ୍‌ ପିଟର ସୋରେନ, ଏଫ୍‌. ଏକ୍କା, କେଶବ ସ୍ବାଇଁ ଓ ରାଜନ ଏକ୍କା ପ୍ରମୁଖ ସହଯୋଗ କରିଥିଲେ। ଉଦ୍‌ଯାପନୀ ଦିବସରେ ଅର୍ଜୁନ ପୁରସ୍କାର ବିଜେତା ବଡି ବିଲ୍ଡର ସୁନୀଲ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ, ସୁନ୍ଦରଗଡ଼ ଜିଲା ହକି ସଂଘ ସଭାପତି ଭିକ୍ଟର କୁଜୁର, ସମ୍ପାଦକ ସିଲଭିଷ୍ଟର ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

Share