ରାଜ୍ୟ ସ୍କାଉଟ୍‌ ଗାଇଡ୍‌ର ମୁଖ୍ୟ ଆୟୁକ୍ତଙ୍କୁ ‘ଏସିଆ ତାରକା’ ସମ୍ମାନ

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ସ ଏବଂ ଗାଇଡ଼ସର ରାଜ୍ୟ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ପରିଷଦର ଉପସଭାପତି ଡ. କାଳିପ୍ରସାଦ ମିଶ୍ରଙ୍କୁ ‘ଏସିଆ ତାରକା’ ସମ୍ମାନ ମିଳିଛି। ଏସିଆ ପାସିଫିକ୍‌ ଅଞ୍ଚଳରେ ସ୍କାଉଟ୍‌ ଗାଇଡ୍‌ର ବିକାଶ ଦିଗରେ ତାଙ୍କର ସର୍ବୋତ୍କୃଷ୍ଟ ସାଧନା ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀର କ୍ରିଷ୍ଣା ମେନନ୍‌ ଭବନରେ ବୁଧବାର ଅନ୍ତର୍ଜାତୀୟ ଆଇନ୍‌ ଶିକ୍ଷା ଓ ପରିଚାଳନା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଶିକ୍ଷା, ଅର୍ଥ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଜାତୀୟ ଆଲୋଚନାଚକ୍ର ଅବସରରେ ଡ. ମିଶ୍ରଙ୍କୁ ଏହି ସମ୍ମାନ ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ୧୯୯୦ରେ ତତ୍‌କାଳୀନ ରାଷ୍ଟ୍ରପତି ଆର୍‌. ଭେଙ୍କଟରମଣଙ୍କଠାରୁ ଡ. ମିଶ୍ର ଜାତୀୟସ୍ତରରେ ସ୍କାଉଟ୍‌ ଓ ଗାଇଡ୍‌ର ସର୍ବୋଚ୍ଚ ପୁରସ୍କାର ‘ରଜତ ହସ୍ତୀ’ ପାଇଛନ୍ତି। ସେହିଭଳି ୨୦୧୦ରେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ମଧ୍ୟ ସେ ଅଧିସଦସ୍ୟ ସ୍ବର୍ଣ୍ଣପଦକ ଲାଭ କରିଥିଲେ।

Share