Categories: ଖେଳ

ରାଞ୍ଚି ଟେଷ୍ଟରୁ ମହାରାଜ ବାଦ୍‌

ପୁଣେ,୧୪।୧୦- ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଆଗୁଆ ହାରିସାରିଥିବା ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ସ୍ପିନର କେଶବ ମହାରାଜ ଆହତ ସମସ୍ୟା ଯୋଗୁ ସିରିଜ୍‌ର ତୃତୀୟ ତଥା ଅନ୍ତିମ ଟେଷ୍ଟ ଖେଳିପାରିବେ ନାହିଁ। ତାଙ୍କ ବଦଳ ଖେଳାଳି ଭାବେ ଜର୍ଜ ଲିଣ୍ଡେଙ୍କୁ ଦଳରେ ସାମିଲ କରାଯାଇଛି। ପୁଣେ ଟେଷ୍ଟର ଦ୍ୱିତୀୟ ଦିନରେ ମହାରାଜ ଫିଲ୍ଡିଂ କରୁଥିବାବେଳେ ଆହତ ହୋଇଥିଲେ। ତାଙ୍କ ଏମ୍‌ଆରଆଇ ସ୍କାନରୁ ଜଣାପଡ଼ିଛି, ସେ ତୃତୀୟ ଟେଷ୍ଟ ପୂର୍ବରୁ ଫିଟ୍‌ ହୋଇପାରିବେ ନାହିଁ। ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟକୁ ଏକ ଇନିଂସ ଓ ୧୩୭ ରନ୍‌ରେ ଜିତିବା ପରେ ମହାରାଜଙ୍କ ସମ୍ପର୍କରେ କ୍ରିକେଟ ଦକ୍ଷିଣ ଆଫ୍ରିକା ସୂଚନା ଦେଇଛି। ଦ୍ୱିତୀୟ ଟେଷ୍ଟରେ ସେ କେବଳ ଗୋଟିଏ ଉଇକେଟ ନେଇପାରିଥିଲେ। କିନ୍ତୁ ପ୍ରଥମ ଇନିଂସରେ ସେ ୭୨ ଓ ଦ୍ୱିତୀୟ ଇନିଂସରେ ୨୨ ରନ୍‌ କରିଥିଲେ। ଏମ୍‌ଆରଆଇ ସ୍କାନରୁ ଜଣାପଡ଼ିଛି, ମହାରାଜଙ୍କ ଡାହାଣ ହାତର ମାଂସପେଶୀରେ ଆଘାତ ପାଇଛନ୍ତି। ଏଥିଯୋଗୁ ସେ ବ୍ୟାଟିଂ କଲାବେଳେ ଷ୍ଟ୍ରାପ ବାନ୍ଧିଥିଲେ। ତାଙ୍କୁ ଆହତ ସମସ୍ୟାରୁ ମୁକୁଳିବା ଲାଗି ୧୪ରୁ ୨୧ ଦିନ ବିଶ୍ରାମ ନେବାକୁ ପଡ଼ିବ ବୋଲି ଟିମ୍‌ ଡାକ୍ତର ରାମଜି ହାଶେନ୍ଦର କହିଛନ୍ତି।

Share