ମୁମ୍ବାଇ,୭।୫: ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚାର୍ଜଶିଟ୍ ଜାରି କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ଜାରି ରହିଥିବା ବେଳେ ସ୍ବତନ୍ତ୍ର କୋର୍ଟରେ ଶୁଣାଣି ହେଉଛି। ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ଏବଂ ଏମ୍ଡି ଥିବା କପୁରଙ୍କୁ ଇଡି ମାର୍ଚ୍ଚ ୮ରେ ଗିରଫ କରିଥିଲା। କିଛି କମ୍ପାନୀକୁ ଅନୁକମ୍ପାମୂଳକ ଋଣ ପ୍ରଦାନ କରିଥିବା ରାଣାଙ୍କ ବିରୋଧରେ ଅଭିଯୋଗ ରହିଛି। ଏବେ ଦେବାଳିଆ ହୋଇଥିବା ଡିଏଚ୍ଏଫ୍ଏଲ୍ ଠାରୁ ରାଣାଙ୍କ ପରିବାରର କମ୍ପାନୀ ୬୦୦ କୋଟି ଟଙ୍କାର କାରବାର ଏବେ ତଦନ୍ତକାରୀ ଏଜେନ୍ସିଗୁଡିକର ନଜରରେ ରହିଛି। ବିଭିନ୍ନ ସୂତ୍ରରୁ ତାଙ୍କ ପରିବାର ପ୍ରାୟ ୩,୪୦୦ କୋଟି ଟଙ୍କା ଫାଇଦା ନେଇଥିବା ଅଭିଯୋଗ ରହିଛି। ଋଣ ନେବା ବେଳେ ଲାଞ୍ଚ କାରବାର ଏବଂ ବଡ଼ ବଡ଼ କର୍ପୋରେଟ୍କୁ ସେ ପ୍ରଦାନ କରିଥିବା ଋଣ ଏନ୍ପିଏ ହେବା ଯୋଗୁ ରାଣା ବିବାଦ ମଧ୍ୟକୁ ଟାଣି ହୋଇଯାଇଥିଲେ।