Categories: ଜାତୀୟ

ରାତାରାତି ବାଜି ଓଲଟ ପାଲଟରେ ଓସ୍ତାଦ ମୋଦି-ଶାହ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପ୍ରତିଦିନ ଟୁଇଷ୍ଟ ଦେଖିବାକୁ ମିଳୁଥିଲା। ହେଲେ ରାତାରାତି ସବୁକିଛି ହୋଇଗଲା ଓଲଟ ପାଲଟ। ନଭେମ୍ବର ୨୩ ସକାଳେ ଏମିତି ଖବର ଆସିଲା ଯାହା ସମସ୍ତଙ୍କୁ ଚମକାଇ ଦେଲା। ସଂଖ୍ୟା ଗରିଷ୍ଠତା ନ ଥାଇ ମଧ୍ୟ ଭାଜପାରୁ ଦେବେନ୍ଦ୍ର ଫଡନବିସ ହେଲେ ମୁଖ୍ୟମନ୍ତ୍ରୀ। ଏହା ପଛର ରହସ୍ୟ କେହିବି ବୁଝି ପାରିଲେ ନାହିଁ। କେବଳ ସେତିକି ନୁହେଁ ୫ ବର୍ଷ ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହିଭଳି ଅନେକଥର ଦେଶବାସୀଙ୍କୁ ଚମକାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି।
୨୦୧୭ରେ ଗୋଆ ବିଧାନସଭାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ମୋଟ ୪୦ ବିଧାନସଭା ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସର୍ବାଧିକ ୧୭ ଆସନ ମିଳିଥିଲା। ହେଲେ ଏହା ସଂଖ୍ୟା ଗରିଷ୍ଠତାରୁ ପଛରେ ଥିଲା। ସମସ୍ତେ ଭାବୁଥିଲେ କଂଗ୍ରେସ ସରକାର ଗଠନ କରିବ। ହେଲେ ନିତିନ ଗଡକରି ସକ୍ରିୟ ହେବାରୁ ରାତାରାତି ୧୩ ଆସନ ଜିତିଥିବା ଭାଜପା ସ୍ବାଧିନ ପ୍ରାର୍ଥୀଙ୍କୁ ଏକାଠି କରି ରାତାରାତି ସରକାର ଗଠନ କରିବା ସହ ମନୋହର ପାରିକରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଲା।
ସେମିତି ୨୦୧୭ରେ ମଣିପୁର ବିଧାନସଭା ନିର୍ବାଚନରେ ମୋଟ ୬୦ ଆସନରୁ କଂଗ୍ରେସକୁ ୨୮ ଆସନ ମିଳିିଥିବା ବେଳେ ଭାଜପା ହାତେଇଥିଲା ୨୧। ହେଲେ ରାତାରାତି ଅନ୍ୟ ଦଳଙ୍କ ସହ ମେଣ୍ଟ କରି ଭାଜପା ପ୍ରଥମଥର ଲାଗି ମଣିପୁରରେ ସରକାର ଗଠନ କଲା।
୨୦୧୬ ମଧ୍ୟ ରାତ୍ରରେ ଉରି ସର୍ଜିକାଲ ଷ୍ଟ୍ରାଇକର ପ୍ରତିଶୋଧ ନେଇଥିଲା ଭାରତ। ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଥିବା ବେଳେ ମୋଦି ସରକାର ରାତାରାତି ଏହାକୁ ସଫଳ କରିଥିଲା।
୨୦୧୯ ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟରେ ରାତାରାତି ଏୟାର ଷ୍ଟ୍ରାଇକ୍‌ କରି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲେ ମୋଦି ସରକାର।
ଜୁଲାଇ ୧,୨୦୧୭ରେ ଜିଏସ୍‌ଟି ପାସ୍‌ କରାଇବା ପାଇଁ ରାଜ୍ୟସଭାର ପ୍ରଶ୍ନକାଳ ବିଳମ୍ବିତ ରାତି ପ୍ରର୍ଯ୍ୟନ୍ତ ଜାରି ରଖିଥିଲେ ମୋଦି ସରକାର।
୨୦୧୬ ନଭେମ୍ବର ୮ ରାତିରେ ମଧ୍ୟ ବିମୁଦ୍ରୀକରଣ ଘୋଷଣା କରି ଦେଶବାସୀଙ୍କୁ ଚମକାଇ ଦେଇଥିଲେ ମୋଦି ସରକାର।
ଏବେ ମହାରାଷ୍ଟ୍ର ରାଜନୀତିରେ ରାତାରାତି ଆସିଥିବା ପରିବର୍ତ୍ତନକୁ ଦେଖିବା ପରେ ମୋଦିଙ୍କ ମିଡ୍‌ ନାଇଟ୍‌ ଅପରେଶନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି।

Share