ରାତିପାହିଲେ ସାବିତ୍ରୀ: କେନ୍ଦୁଝର ବଜାରରେ ବଢ଼ୁଛି ଜଙ୍ଗଲୀ ଫଳର ଚାହିଦା

କେନ୍ଦୁଝର,୨।୬( ସ୍ବ.ପ୍ର.): ରାତିପାହିଲେ ସାବିତ୍ରୀ ବ୍ରତ। ଏହି ଉପଲକ୍ଷେ କେନ୍ଦୁଝର ସହରର ଫଳ ବଜାରରେ ଲୋକଙ୍କ ଭିଡ଼ ଲାଗିଛି। ଏହା ମଧ୍ୟରେ ଜଙ୍ଗଲୀ ଫଳର ଆସର ରାସ୍ତା କଡ଼ ତଥା ହାଟ ବଜାରରେ ଦେଖିବାକୁ ମିଳୁଛି। ବନବାସୀ ଜଙ୍ଗଲ ଓ ପାହାଡ଼ରୁ ସଂଗ୍ରହ କରିଥିବା ଫଳମୂଳକୁ ବୋଝରେ ବୋହି ସହରକୁ ଆଣି ବିକ୍ରି କରୁଛନ୍ତି । ଜଙ୍ଗଲରୁ ସଂଗୃହୀତ ଡିମିରି, କୁଢ଼େଇ, ଶାଳଫୁଲ, ଆମ୍ବ, ପଣସ, ଖଜୁରି, ଜାମୁ, ଜେଉଠ, ଜୁସୁମ, ଚାର କୋଳି ଆଦି ଫଳ ବିକୁଛନ୍ତି।
ଅନ୍ୟପକ୍ଷରେ ବ୍ୟବସାୟୀମାନେ ଆମ୍ବ, ତରଭୁଜ, ସପୁରି, ସପେଟା, ସେଓ, ଲିଚୁ, କଦଳୀ, କମଳା ଆଦି ଉଚ୍ଚ ଦାମରେ ବିକ୍ରି କରୁଥିଲେ ହେଁ ଏହା ମଧ୍ୟରେ ପାହାଡ଼ୀ ଫଳର ଚାହିଦା ବେଶ୍‌ ରହିଛି । ବାହାର ଫଳର ଦର ଆକାଶଛୁଆଁ ରହିଛି। ଏଣୁ ଅନେକ ଲୋକ ଅନ୍ୟ ଫଳ ସହିତ ପାହାଡ଼ିଆ ଫଳ ଓ କୋଳି ପୂଜା ପାଇଁ କିଣୁଥିବା ଦେଖିବାକୁ ମିଳୁଛି।