ରାତିରେ ଖୋଲା ରହିବ ତେଜରାଜି ଦୋକାନ: ଗୋଲେଇ ମଧ୍ୟରେ ରହି ସାମଗ୍ରୀ ଆଣିବାକୁ ପରାମର୍ଶ

ଭୁବନେଶ୍ୱର,୨୬।୩(ବ୍ୟୁରୋ)-ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ତେଜରାତି ଦୋକାନରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି। ସେହି ଦୋକାନଗୁଡିକ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହୁଛି। ଏହା ସତ୍ତ୍ୱେ ବଡ ବଡ ମାର୍କେଟରେ ଲୋକମାନେ ପ୍ରବଳ ଜନ ଗହଳି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତେଜରାତି ଦୋକାନକୁ ରାତିରେ ମଧ୍ୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ପଦକ୍ଷେପ ନେବାକୁ ଜିଲାପାଳ ଏବଂ ମହାନଗର ନିଗମ କମିଶନରମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସର୍କଲ କିମ୍ବା ଚାରିଛକ ମଧ୍ୟରେ ଦୂରତ୍ୱ ରଖି ଉପଭୋକ୍ତାମାନେ ଦୋକାନରୁ ସଉଦା ଆଣିବାକୁ କୁହାଯାଇଛି। ପ୍ରତ୍ୟେକ ଦୋକାନୀ ଏହି ନିର୍ଦ୍ଦେଶାବଳୀକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସହରରେ ତେଜରାତି, ପନିପରିବା, ଫଳମୂଳ, ଔଷଧ ଆଦିକୁ ହୋମ ଡେଲିଭରି କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହାଛଡା ଭ୍ରାମ୍ୟମାଣ ଗାଡି ଯୋଗେ ଉକ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଂସ୍ଥାମାନେ ଟ୍ରଲି, ରିକ୍ସା କିମ୍ବା ୩ ଚିକିଆ ଠେଲା ଗାଡି ଜରିଆରେ ନିଜ ନିଜ ଅଞ୍ଚଳରେ ତେଜରାତି, ପନିପରିବା, ଫଳମୂଳ, ଔଷଧ ଇତ୍ୟାଦି ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ କୁହାଯାଇଛି।

Share