ରାତିରେ ରାଜଧାନୀ ରାଜପଥରେ ରୋଡ୍‌ ରୋମିଓଙ୍କ ଉତ୍ପାତ: ଅଭିନେତ୍ରୀଙ୍କୁ ପିଛାକରି ଆତଙ୍କ ଖେଳାଇଲେ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଅସୁରକ୍ଷିତ ହେଉଛି ରାଜଧାନୀର ରାତି। ରାଜପଥଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ଉତ୍ପାତ କରୁଛନ୍ତି ଅପରାଧୀ। ମଙ୍ଗଳବାର ବିଳମ୍ବିତ ରାତିରେ ସହରଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ରୋଡ୍‌ ରୋମିଓ ଆତଙ୍କ ଖେଳାଇଛନ୍ତି। ଶୁଟିଂ ସାରି କାର୍‌ରେ ଫେରୁଥିବା ଜଣେ ଅଭିନେତ୍ରୀ ଓ ସହଯୋଗୀଙ୍କ ପିଛା କରି ୩ କିମି ଧରି ନାନା ହଇରାଣ କରିଛନ୍ତି। ଅଶ୍ଳୀଳ ଇଙ୍ଗିତ, ଗାଳିଗୁଲଜ କରିବା ସହ ମଦ ବୋତଲରେ ନିଆଁ ଲଗାଇ ଧମକ ଦେଇଥିବା ଦୃଶ୍ୟ ଏବେ ଭାଇରାଲ ହୋଇଛି। ତେବେ ଅଭିଯୋଗ ସତ୍ତ୍ୱେ ନୟାପଲ୍ଲୀ ଥାନା ପୋଲିସ କେବଳ ପରାମର୍ଶ ଦେଇ ବିଦା କରିଦେଇଥିବାରୁ ଅଭିନେତ୍ରୀ ଜଣକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଭିଯୋଗ ଅନୁସାରେ, ଅଭିନେତ୍ରୀ ଓ ତାଙ୍କ ଟିମ୍‌ର ସଦସ୍ୟମାନେ ଶୁଟିଂ ସାରି ରାତିରେ ଫେରୁଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ବରମୁଣ୍ଡାରୁ ଓଭର ବ୍ରିଜ୍‌ ତଳ ବାମପାର୍ଶ୍ୱ ସର୍ଭିସ ରୋଡ୍‌ ଦେଇ ନୟାପଲ୍ଲୀ ଅଭିମୁଖେ ଯାଉଥିଲେ। ତଳ ରସ୍ତାରେ ପ୍ରବେଶ କରିବାର କିଛି ବାଟ ଯିବା ପରେ ହଠାତ୍‌ ଏକ ବାଇକ୍‌ରେ ୨ଜଣ ଯୁବକ ତାଙ୍କ କାର୍‌କୁ ପିଛା କରି ଗାଳିଗୁଲଜ କରୁଥିବା ଦେଖିଥିଲେ। ସେମାନେ କେତେବେଳେ କାର୍‌ ପାର୍ଶ୍ୱରେ ଅତି ନିକଟତର ହୋଇ ଯାଉଥିଲେ ତ ପୁଣି ଆଉ କେତେବେଳେ ସମ୍ମୁଖରେ ବାଟ ଓଗାଳିବାକୁ ଚେଷ୍ଟା କରୁଥିଲେ। ବାଇକ୍‌ ପଛରେ ବସିଥିବା ଯୁବକ ଶାର୍ଟ ଖୋଲି ହାତରେ ମଦ ବୋତଲ ଧରି ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏପରି କି କିଛିବାଟ ଯିବା ପରେ ମଦ ବୋତଲରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିଥିଲେ। ଏସବୁ କାର୍‌ନାମା ଦେଖି ଅଭିନେତ୍ରୀଙ୍କ ସମେତ କାର୍‌ରେ ଥିବା ଅନ୍ୟମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ। ସେମାନେ ୧୦୦କୁ କଲ କରିଥିଲେ ମଧ୍ୟ ବହୁ ବିଳମ୍ବରେ ପିସିଆର୍‌ ପୋଲିସ ପହଞ୍ଚତ୍ଥିଲା। ସେତେବେଳକୁ ଉତ୍ପାତ କରୁଥିବା ଦୁଇ ରୋଡ୍‌ ରୋମିଓ ଉଭାନ ହୋଇଯାଇଥିଲେ। ପରେ ସେମାନେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ଉକ୍ତ ବାଇକ୍‌ ଦେଖିଲେ ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କରି ଜଣାଇବାକୁ ପରାମର୍ଶ ଦେଇଥିଲେ। ପୋଲିସ ନିକଟରୁ ସନ୍ତୋଷଜନକ ଉତ୍ତର ନ ପାଇ ଶେଷରେ ଅଭିନେତ୍ରୀ ଓ ଅନ୍ୟମାନେ ଥାନାରୁ ଫେରି ଆସିଥିଲେ ବୋଲି ସେମାନେ ଗଣମାଧ୍ୟମକୁ କହିଛନ୍ତି। ଘଟଣା ସଂକ୍ରାନ୍ତରେ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ ଜଣାଇଛନ୍ତି।

Share