ରାତିରେ ହେଉଛି ଗୋ ଚାଲାଣ

କୁଆମରା,୧୬।୧୨(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ସାପ୍ତାହିକ ଗୋରୁହାଟରୁ ପଡ଼ୋଶୀ ପଶ୍ଚିମବଙ୍ଗକୁ ରାତ୍ରି ସମୟରେ ପିକ୍‌ଅପ ଭ୍ୟାନ ଯୋଗେ ବେଆଇନ ଭାବେ ଗୋ ଚାଲାଣ ହେଉଛି। ଉଦଳା ଉପଖଣ୍ଡରୁ ପ୍ରତି ସପ୍ତାହର ଦୁଇ ଦିନ ବଳଦ ଓ ଗାଈଙ୍କୁ ଦଲାଲମାନେ ଅବାଧରେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ ମଧ୍ୟ ଏଥିପ୍ରତି ପୋଲିସ ଓ ପ୍ରଶାସନର ନିଘା ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ତଳେ ଉଦଳା-ବୈଶିଙ୍ଗା ରାସ୍ତା ଦେଇ ୮ଟି ପିକଅପ୍‌ ଭ୍ୟାନ୍‌ରେ ଗୋ ଚାଲାଣ କରାଯିବା ବେଳେ ପୁରୁଣା ବାରିପଦାଠାରେ ଲୋକେ ଏହାକୁ ଅଟକ ରଖିଥିଲେ। ସେଠାରୁ ୯୭ଟି ଗୋରୁଙ୍କୁ ଉଦ୍ଧାର କରି ବାଲେଶ୍ୱରର ଏକ ଗୋଶାଳାକୁ ପଠାଯାଇଥିଲା। ସେବେଠାରୁ ଏହି ରାସ୍ତା ଦେଇ ଗୋ ଚାଲାଣ ବନ୍ଦ ଥିଲେ ମଧ୍ୟ ପରେ ବେପାରୀମାନେ ସକ୍ରିୟ ହୋଇ ଗୋ ଚାଲାଣ ପୁଣି ଆରମ୍ଭ କରିଥିବା ଅଞ୍ଚଳବାସୀ ଅଭିଯୋଗରେ ଦର୍ଶାଇଛନ୍ତି।