Advertisement

ରାତି ଅଧରେ ମୃତଦେହ ବ୍ୟବଚ୍ଛେଦ ଦାବିରେ ସମ୍ପର୍କୀୟଙ୍କ ଡାକ୍ତରଙ୍କୁ ମାଡ଼ ଅଭିଯୋଗ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବି

ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କ ମୃତଦେହ ବ୍ୟବଚ୍ଛେଦ ଦାବିରେ ସେମାନଙ୍କ ସମ୍ପର୍କୀୟ ୨ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ମାଡ଼ ମାରିଥିବା ମୃତକଙ୍କ ୩ ସମ୍ପର୍କୀୟଙ୍କୁ ଗିରଫ ଦାବିରେ ସମସ୍ତ ଡାକ୍ତର ଅଡ଼ି ବସିଛନ୍ତି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଚାପା ଉତ୍ତେଜନା ଲାଗିରହିଛି। ସେମାନେ ଗିରଫ ନ ହେବା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଏକ ପ୍ରତିନିଧି ମଣ୍ଡଳ ଆଇଆଇସିଙ୍କୁ ଦେଖା କରିଛନ୍ତି।
ସୂଚନା ଅନୁଯାୟୀ, ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଗୁଡିପୋଖରୀ ଗ୍ରାମର ନନ୍ଦ କିଶୋର ମହାନ୍ତ(୭୦) ସୋମବାର ସନ୍ଧ୍ୟାରେ କୂଅରେ ପଡ଼ିଥିଲେ। ପରେ ପରିବାର ଲୋକ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରାତିରେ ମୃତଦେହ ବ୍ୟବଚ୍ଛେଦ ଲାଗି ଦାବି କରିବା ସହ କାହିଁକି ବ୍ୟବଚ୍ଛେଦ ହେବନି ବୋଲି କହି ନନ୍ଦ କିଶୋରଙ୍କ ୩ ସମ୍ପର୍କୀୟ ଅସଭ୍ୟ ଭାଷାରେ ଡାକ୍ତରଙ୍କୁ ଗାଳି ଗୁଲଜ କରିଥିଲେ। ପରେ ଠେଲାପେଲା କରିବା ସହ ମାଡ଼ ମାରିଥିବା ନେଇ ଡାକ୍ତର ଶୁଭେନ୍ଦୁ ସାଗର ନାଏକ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଚିତ୍ତରଞ୍ଜନ ନାଏକ ପାଟଣା ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତିି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ୨୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel