ରାତି ପାହିଲେ ଗଛ ଚିନ୍ତା

ଭଦ୍ରକ ଅଫିସ,୧୧।୯-ପେସା ଶିକ୍ଷକତା, ନିଶା ସବୁଜବନାନୀ ସୃଷ୍ଟି କରିବା। ଶିକ୍ଷକତା ସମୟକୁ ବାଦ୍‌ ଦେଇ ଅନ୍ୟ ସମୟରେ ଗଛ ଲଗାଇଥାନ୍ତି। ତାଙ୍କର ଏଭଳି ରୁଚି ପାଇଁ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତିି ଶିକ୍ଷକ ବିଷ୍ଣୁପ୍ରସାଦ ପାଢ଼ୀ(୫୦)। ପରିବେଶ ପ୍ରେମରେ ପଡ଼ିଥିବା ଶିକ୍ଷକ ପାଢ଼ୀଙ୍କ ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆଁମୀ ଗ୍ରାମରେ। ପ୍ରତିମାସ ସେ ନିଜ ଦରମାର ଏକତୃତୀୟାଂଶ ଗଛ ଲଗାଇବା ନିମନ୍ତେ ଖର୍ଚ୍ଚ କରିଥାନ୍ତି।
ସେ କହନ୍ତି, ୧୯୯୯ ବାତ୍ୟା ପରଠାରୁ ଗଛ ଲଗାଇବା ପ୍ରତି ରୁଚି
ଆରମ୍ଭ ହୋଇଥିଲା। ଏହାମଧ୍ୟରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ଗଛ ସେ ଲଗାଇ ସାରିଛନ୍ତି। ଏହାକୁ ବାଦ୍‌ ଦେଲେ ନିଜ ଘର ପାଖ ନାଆଁମୀ କଲେଜ ନିକଟସ୍ଥ ଜଙ୍ଗଲ କିସମ ୩ ଏକର ଜାଗାରେ ଏକ ଉଦ୍ୟାନ ସୃଷ୍ଟି କରିଛନ୍ତି। ମଞ୍ଜୁରିରୋଡ ଷ୍ଟେଶନଠାରୁ ୨ କି.ମି. ଓ ଛତାବର ଜାତୀୟ ରାଜପଥଠାରୁ ୮କି.ମି. ଦୂରରେ ଥିବା ଏହି ଉଦ୍ୟାନ ୨୦୧୬ ରଥଯାତ୍ରା ଦିନରୁ ସେ ଆରମ୍ଭ କରିଥିଲେ। ଏବେ ଉକ୍ତ ଉଦ୍ୟାନରେ ବିଭିନ୍ନ ଔଷଧୀୟ ବୃକ୍ଷଠାରୁ ଆରମ୍ଭ କରି ବିଭିନ୍ନ ଫଳ ଓ ସାଧାରଣ ଗଛ ରହିଛି। ହରିଡା, ବାହାଡା, ଶନି, ଅଶୋକ, ଅଶୋକା, ଲିମ୍ବ, ମହାଲିମ୍ବ, ୭ରୁ ୮ ପ୍ରକାର ଆମ୍ବ, ଆକାଶିଆ ଏହିଭଳି ପ୍ରାୟ ୩୦ ପ୍ରକାର ଗଛ ଦେଖିବାକୁ ମିଳେ ତାଙ୍କ ଉଦ୍ୟାନରେ। ସକାଳ ୫ଟାରୁ ଉଠି ବଗିଚାରେ ବିଭିନ୍ନ ଗଛର ଯତ୍ନ ନେବା ସହ ଔଷଧ ଓ ଖତ ପ୍ରଦାନ କରିଥାନ୍ତି। ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଗଛର ଯତ୍ନ ନେଇଥାନ୍ତି। ସ୍କୁଲକୁ ୧୦ଟାରେ ଯାଇ ଅପରାହ୍ନ ୫ଟାରେ ଫେରିବା ପରେ ପୁଣି ଗଛ ପାଇଁ ସମୟ ଦିଅନ୍ତି। ରାତି ପ୍ରାୟ ୮ଟାରେ ଉକ୍ତ ବଗିଚା ମଧ୍ୟରେ ଥିବା ଘରେ ଭାଗବତ ଚର୍ଚ୍ଚା କରନ୍ତି। ଏଥିପାଇଁ ସେ ନଣ୍ଡା ଜେନା ନାମକ ଜଣେ ନିରାଶ୍ରୟ ବ୍ୟକ୍ତିଙ୍କୁ ଉଦ୍ୟାନ ଦେଖାଶୁଣା କରିବାକୁ ଦାୟିତ୍ୱ ଦେଇଛନ୍ତି। ଉଦ୍ୟାନ ଚାରିପାଖ ବାଡ଼ କରିବାକୁ ପ୍ରତି ଦୁଇବର୍ଷରେ ଥରେ ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ। ଗଛ ଲଗାଇବାକୁ ପରିବାର ଲୋକେ ତାଙ୍କୁ ଉତ୍ସାହିତ କରିଥାନ୍ତି ବୋଲି ସେ କହିଛନ୍ତି। ସେ ଏବେ କେନ୍ଦୁଝର ଜିଲା ଗେଡ଼େମା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ତେବେ ସେ ଯେଉଁ ଯେଉଁ ସ୍କୁଲରେ ଚାକିରି କରିଆସିଛନ୍ତି ସେଠାରେ ସବୁଜବନାନୀ ପାଇଁ ଉଦ୍ୟାନ ବା ବଗିଚା ସୃଷ୍ଟି କରି ଛାତ୍ରୀଛାତ୍ର ତଥା ସ୍ଥାନୀୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ବିଭିନ୍ନ ମହଲରୁ ପ୍ରଶଂସା ସହ ସମ୍ମାନିତ ମଧ୍ୟ କରାଯାଇଛି।

Share