Categories: ଜାତୀୟ

ରାତ୍ର କର୍ଫ୍ୟୁ ବେଳେ ଆନ୍ତଃରାଜ୍ୟ ବସ୍‌କୁ ଅଟକାଅ ନାହିଁ: ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩ା୬(ପି.ଟି.): ସାରା ଦେଶରେ ଅନ୍‌ଲକ୍‌ ୧ ଆରମ୍ଭ ହେବା ସହ ଲକ୍‌ଡାଉନ ବେଳର ଅଧିକାଂଶ କଟକଣା କୋହଳ କରାଯାଇଛି। ରାତ୍ରକାଳୀନ କର୍ଫ୍ୟୁକୁ ରାତି ୯ଟାରୁ ସକାଳ ୫ଟା ମଧ୍ୟରେ ସୀମିତ କରାଯାଇଛି। ଏହି ସମୟରେ ଜାତୀୟ ତଥା ରାଜ୍ୟ ରାଜପଥରେ ଯାତ୍ରୀ ଓ ମାଲ୍‌ ପରିବହନ ଉପରେ ରାଜ୍ୟ କଟକଣା ଲଗାଉଥିବାରୁ କେନ୍ଦ୍ର ସରକାର ଏହାର ପ୍ରତିବାଦ କରିଛନ୍ତି। ରାତ୍ରକାଳୀନ କର୍ଫ୍ୟୁ ବେଳେ ଯାତ୍ରୀଙ୍କୁ ନେଇଯାଉଥିବା ଆନ୍ତଃରାଜ୍ୟ ବସ୍‌ଗୁଡ଼ିକୁ ନ ଅଟକାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସାନି ବିଜ୍ଞପ୍ତି ଜାରି କରାଯାଇଛି। ରାତିସାରା ମାଲ କିମ୍ବା ଯାତ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଧା ଦିଆଯିବା ଉଚିତ ନୁହେଁ ବୋଲି ଏଥିରେ ସ୍ପଷ୍ଟ କରିଦିଆଯାଇଛି। ରାତ୍ରକାଳୀନ କର୍ଫ୍ୟୁ ବେଳେ କେତେକ ରାଜ୍ୟର ପୋଲିସ ସବୁପ୍ରକାର ଯାନ ଅଟକାଉଥିବା କେନ୍ଦ୍ର ସରକାରଙ୍କ ନଜରକୁ ଆସିବା ପରେ ଏଭଳି ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା ବୋଲି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲୋକଙ୍କ ଭିଡ଼ କମାଇବା ଓ ସାମାଜିକ ଦୂରତ୍ୱ ସୁନିଶ୍ଚିତ କରିବା ଲାଗି କରାଯାଇଛି। ଅତ୍ୟାବଶ୍ୟକ ସେବା ଏବଂ ଆନ୍ତଃରାଜ୍ୟ ଯାତ୍ରୀଙ୍କ ବସ୍‌ରେ ଯାତାୟାତକୁ ବନ୍ଦ କରିବା ପାଇଁ ନୁହେଁ। ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଆନ୍ତଃରାଜ୍ୟ ପରିବହନ ବନ୍ଦ ନ କରିବାକୁ ପରାମର୍ଶ ଦିଆଯାଇଛି।

Share