ରାଧାରାଣୀପଡା ଶୀତଳଷଷ୍ଠୀ ଥାଳଉଠା ଉଠିଲା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ରାଧାରାଣୀପଡା ଶୀତଳଷଷ୍ଠୀ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଶୀତଳଷଷ୍ଠୀ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୀତଳଷଷ୍ଠୀ ଥାଳଉଠା କାର୍ଯ୍ୟକ୍ରମ ରବିବାର ସମ୍ପନ୍ନ ହୋଇଛି। କମିଟି ସଭାପତି ମନୀଷ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ଶୀତଳଷଷ୍ଠୀ ମହୋତ୍ସବକୁ କିପରି ପାଳନ କରାଯିବ ଆଲୋଚନା ହୋଇଥିଲା। କରୋନା ମହାମାରୀକୁ ଆଖି ଆଗରେ ରଖି ଶୀତଳଷଷ୍ଠୀ ପାଳନ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍‌-୧୯ ନିୟମାବଳୀକୁ ପୂଜା କମିଟି ପାଳନ କରିବ ବୋଲି ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ଆଗକୁ ମଧ୍ୟ ଯେଉଁସବୁ ନିଷ୍ପତ୍ତି ନେବେ ତାକୁ ପୂଜା କମିଟି ପାଳନ କରିବ ଓ ଜିଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସର୍ବପ୍ରଥମେ ଯାତ୍ରା ଆରମ୍ଭ ସ୍ବରୂପ ଦେବାଧିଦେବ ମହାଦେବ ଓ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବର ଶୁଭାରମ୍ଭ ଥାଳଉଠା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। କାଯର୍‌ୟକ୍ରମରେ ରାଧାରାଣୀପଡା ଓ କଂସାରୀପଡା ପୂଜା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ଏବିଏସ୍‌ଏସ୍‌ ପକ୍ଷରୁ ମଧ୍ୟ ସିଦ୍ଧେଶ୍ୱର ବାବା ଶୀତଳଷଷ୍ଠୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ବଣ୍ଟି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କରୋନା ମହାମାରୀକୁ ଆଖି ଆଗରେ ଚଳିତବର୍ଷ ମନ୍ଦିରରେ ପୂଜା କରାଯିବ ବୋଲି ପୂଜା କମିଟି ନିଷ୍ପତ୍ତି ନେଇଛନ୍ତି।

Share